Latest Odisha News

BREAKING NEWS

୨୦୨୪ରେ ନିର୍ବାଚନ, କିଏ କରୁଛି କେଉଁ ମଡ଼େଲକୁ ଭରସା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଭୟ ବିଜେଡି ଓ ବିଜେପି ନିଜ ନିଜର ଶୀର୍ଷ ନେତାଙ୍କ ଜରିଆରେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କଂଗ୍ରେସ ମଧ୍ୟ ପ୍ରସ୍ତୁତି ବୈଠକ କରିବାକୁ ଯାଉଛି। ଏହାରି ଭିତରେ କିଏ କେମିତି ନିର୍ବାଚନ ଲଢିବ ସେ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ପଦ୍ମପୁର ଉପନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ଆଗାମୀ ଦିନରେ ଏହି ପଦ୍ମପୁର ନିର୍ବାଚନ ଶୈଳୀକୁ ଏକ ମଡେଲ ଭାବେ ଗ୍ରହଣ କରି ଲଢିବ ବୋଲି ବିଜେଡି ନେତା କହିଥିଲେ। ଯାହାକୁ ବିଜେପି କାଉଣ୍ଟର କରିଛି। ସେହିପରି କଂଗ୍ରେସ କହିଛି ଲୋକେ ପ୍ରତ୍ୟାଖାନ କଲେ କୌଣସି ମଡେଲ କାମ କରିବନି।

ବିଜେପିର ଦୁଇ ଦିନିଆ ବୈଠକ ଆଜିଠୁ ଆରମ୍ଭ ହୋଇଛି। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବୈଠକ ବସିଛି। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ହେଲେ ବିମାନ ବନ୍ଦରରେ ପହଂଚିବା ପରେ କେନ୍ଦ୍ରଶିକ୍ଷାମନ୍ତ୍ରୀ କହିଥିଲେ ତାଙ୍କର ପଦ୍ମପୁର ମଡେଲ ଥିଲେ ଆମ ପାଖରେ ଧାମନଗର ମଡେଲ ରହିଛି। ଏପରି କହି କେନ୍ଦ୍ରମନ୍ତ୍ରୀ ବିଜେଡିକୁ ଟାର୍ଗେଟ କରିଥିଲେ।

ସେହିପରି ଭୁବନେଶ୍ୱର ସାଂସଦ ତଥା ବିଜେପିର ଜାତୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, କି ମଡେଲ.. ଖଣି ଦୁର୍ନୀତିରେ ରାଜ୍ୟ ସରକାର ଅଛନ୍ତି। ଲୋକସଭାରେ ଏ ସଂକ୍ରାନ୍ତରେ ଗତକାଲି ଏ ନେଇ ତଥ୍ୟ ରଖିଛନ୍ତି ବୋଲି କହିଛନ୍ତି। ଯିଏ ଦୁର୍ନୀତିରେ ବୁଡି ରହିଛି ସିଏ କି ମଡେଲ ଦେଖାଇବ। ହଁ ଏଠାରେ ଦୁର୍ନୀତିର ମଡେଲ ରହିଛି। ଯଦି ମଡେଲ ଅଛି ତାହେଲେ ଗୁଜରାଟରେ ରହିଛି। ସୁଶାସନ ବା ଗୁଡ ଗଭର୍ଣ୍ଣାସ ପାଇଁ ବିଜେପି ଏତେ ସଂଖ୍ୟାରେ ବିଜୟୀ ହେଲା ବୋଲି କହିଛନ୍ତି।

ସେହିପରି ନର୍ଲାର ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି, ବିଜେଡି କୌଣସି ମଡେଲରେ ବିଶ୍ବାସ କରେ ନାହିଁ। ନବୀନଙ୍କ ବିକାଶ ହେଉଛି ଆମର ମଡେଲ। ଲୋକଙ୍କ ସହିତ ଦଳ ରହିଛି। ସରକାର ମଧ୍ୟ ଲୋକଙ୍କ ସହିତ ରହିଛି। ତେଣୁ ଆଗାମୀ ଦିନରେ ନବୀନଙ୍କ ଲୋକପ୍ରିୟତା ଏବଂ ସରକାରର ଯୋଜନାକୁ ଆଧାର କରି ନିର୍ବାଚନ ଲଢିବ ବିଜୁ ଜନତା ଦଳ। ନବୀନ କାହା ସହିତ ପ୍ରତିଦ୍ବନ୍ଦିତା କରିବାକୁ ନକାରାତ୍ମକ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ଏକ ହୋଇ ନିର୍ବାଚନ ଲଢ଼ାଯିବ । ଦଳରେ ବା ଦଳ ବିରୋଧରେ ଅସନ୍ତୋଷ ନାହିଁ, ଯାହା ଅର୍ବାନ ଓ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଏବେ କହିବା କଷ୍ଟକର। ଯେତେବେଳେ ବିଜ୍ଞାନ ସମ୍ମତ ପାଣିପାଗ ରିପୋର୍ଟ ସଠିକ ରହୁ ନାହିଁ ସେତେବେଳେ ରାଜନୈତିକ ପାଣିପାଗ କଥା କହିବା କଷ୍ଟକର। ବା ଆକଳନ କରିବାର ଶକ୍ତି ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। କିନ୍ତୁ କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ,ଗୁରୁତର ସହ ବିଚାର କରି ନିଷ୍ପତି ନେବ ବୋଲି ସେ ବିଶ୍ବାସ ରଖିଛନ୍ତି। ତେଣୁ ଦଳର ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ମିଡିଆରେ ଜବାବ ଦେବା ଛାଡି ଲୋକଙ୍କ ସହିତ ରହିବା ଠିକ୍ ହେବ।

Leave A Reply

Your email address will not be published.