Latest Odisha News

ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ନଭେମ୍ବର ଶେଷ ଆଡ଼କୁ ଭର୍ଚ୍ଚୁଆଲ ଅଧିବେଶନ ପାଇଁ ମୋଦୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ ତଥା ଅନ୍ତିମ ଦିନ। ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି, ଯାହାର ନାମ ‘ୱାନ୍‌ ଫ୍ୟୁଚର’। ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ଜି -୨୦ ଶିଖର ସମ୍ମିଳନୀ ସଫଳତା ପୂର୍ବକ ଶେଷ ହୋଇଛି। ସମ୍ମିଳନୀ ଶେଷ ହେବା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ। ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ୨୦୨୪ ଜି-୨୦ ସମ୍ମିଳନୀ ବ୍ରାଜିଲରେ ହେବ।

ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କଲେ ମୋଦୀ। ଅନ୍ୟପଟେ ନଭେମ୍ବର ଶେଷ ଆଡ଼କୁ ଭର୍ଚ୍ଚୁଆଲ ଅଧିବେଶନ ପାଇଁ ପ୍ରସ୍ତାବ ରଖିଲେ ମୋଦୀ। ବର୍ତ୍ତମାନ ବ୍ରାଜିଲ ପରବର୍ତ୍ତୀ ଜି-୨୦ ଆୟୋଜନ କରିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କୁ ଜି -୨୦ ର ଅଧ୍ୟକ୍ଷତା ହସ୍ତାନ୍ତର କରୁଛି। ଅନ୍ୟପଟେ ଜି-୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସମୟରେ ଭାବୁକ ହୋଇଥିଲେ ବୋଲି କହିଛନ୍ତି। ରାଷ୍ଟ୍ରପତି ଲୁଇଜ ଇନାସିଓ ତାଙ୍କ ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ ମହତ୍ୱ ସମ୍ପର୍କରେ କହିଛନ୍ତି ଏବଂ ସେ ଦୀର୍ଘ ଦଶନ୍ଧି ଧରି ମହାତ୍ମା ଗାନ୍ଧୀଙ୍କ ଅହିଂସା ଅନୁସରଣ କରନ୍ତି ବୋଲି କହିଛନ୍ତି।

ସୂଚନା ଥାଉକି ଆଜି ସକାଳେ ଜି-୨୦ ନେତାମାନେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାପୁଙ୍କ ପାଇଁ ୧ ମିନିଟ୍‌ର ନୀରବ ପ୍ରାର୍ଥନା କରିଥିଲେ। ଜି-୨୦ରେ ଆଫ୍ରିକା ୟୁନିୟନ ସାମିଲ ହୋଇଥିଲେ। ଆଫ୍ରିକା ୟୁନିୟନ ଜି-୨୦ରେ ସାମିଲ ହେବା ପରେ ଆଗାମୀ ସଂସ୍କରଣରେ ଜି-୨୧ ଭାବେ ଏହି ସମ୍ମିଳନୀ ଭାବେ ଜଣାଯିବ। ଭାରତ, ଆମେରିକା, ରୁଷ, ଚୀନ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ, କାନାଡ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ସଦସ୍ୟ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ।

Comments are closed.