୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ; କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ବିଶ୍ୱ ଆଥଲେଟିକ୍ସ ଏବଂ AFI ପ୍ରତିନିଧି ଦଳ
ଭୁବନେଶ୍ୱର: ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ ଆୟୋଜନ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି । ଏନେଇ ବିଶ୍ୱ ଆଥଲେଟିକ୍ସ ଏବଂ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସେମାନେ ଷ୍ଟାଡିୟମ ପରିସର ମଧ୍ୟରେ ଥିବା ଇନଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଅନୁଧ୍ୟାନ କରିଥିଲେ ।
ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରୀଡ଼ା ବିଭାଗର କମିଶନର-ତଥା-ସଚିବ ସଚିନ ଆର. ଯାଦବ, ବିଶ୍ୱ ଆଥଲେଟିକ୍ସର ଉପସଭାପତି ଆଦିଲ୍ଲେ ଜେ. ସୁମାରିୱାଲା, ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମାର୍ଟନ ଗ୍ୟୁଲାଲ୍, ବିଡିଂ ମୁଖ୍ୟ ମାର୍କ ହର୍ଷ୍ଟ, AFI ବୈଷୟିକ କମିଟି ଅଧ୍ୟକ୍ଷ ରବୀନ୍ଦ୍ର ଚୌଧୁରୀ ଏବଂ ବିଡିଂ ବିଶେଷଜ୍ଞ ବିଜୟ କୁମାର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ କ୍ରୀଡ଼ା ମନ୍ତ୍ରୀ ଓଡ଼ିଶାର ସୁଦୃଢ଼ କ୍ରୀଡା ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଓଡ଼ିଶାରେ ସମସ୍ତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ଗତ ବର୍ଷ ସଫଳତାର ସହ ‘ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ’ ଆୟୋଜନ କରିବା ପରେ ଚଳିତ ବର୍ଷ ଆମେ ‘ସିଲଭର ମିଟ୍’ ଆୟୋଜନ କରିବାକୁ ଯାଉଛୁ । ମୋର ଆଶା, ବିଶ୍ୱ ଆଥଲେଟିକ୍ସ ଏବଂ AFI ସହଯୋଗରେ ଆମେ ଏହି ସମ୍ମାନଜନକ ମାଇଲଖୁଣ୍ଟ ହାସଲ କରିପାରିବୁ ।
ବିଶ୍ଵ ଆଥଲେଟିକ୍ସର ଉପ ସଭାପତି ଡକ୍ଟର ସୁମାରିୱାଲା ଆଲୋଚନାରେ ଅଂଶଗ୍ରହଣ କରି କହିଲେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଭାରତ ୨୦୨୮ ବିଶ୍ୱ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ବିଡ୍ କରୁଛି। ଭୁବନେଶ୍ୱରର ଭିତ୍ତିଭୂମି, ଆତିଥ୍ୟ ଏବଂ କ୍ରୀଡ଼ା ସଂସ୍କୃତି ବିଶ୍ୱସ୍ତରୀୟ । ଏହି ଚାମ୍ପିୟନସିପ୍ ଆୟୋଜନ ପାଇଁ ଏହା ଏକ ଆଦର୍ଶ ସ୍ଥାନ ।
କ୍ରୀଡା ବିଭାଗର ସଚିବ ସଚିନ ରାମଚନ୍ଦ୍ର. ଯାଦବ କହିଲେ ଯେ, ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ କ୍ରୀଡ଼ା କେନ୍ଦ୍ର । ଆମର ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ବହୁ ଅଭିଜ୍ଞତା ରହିଛି । ବିଶ୍ଵାସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ଏକ ଐତିହାସିକ ସଫଳତା ପ୍ରଦାନ କରିବା ପାଇଁ ଆମେ ଆଶା ରଖୁଛୁ ।