Latest Odisha News

ଗଙ୍ଗାରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା

ଗାଜିପୁର- ଗଙ୍ଗା ନଦୀରେ ଭାସୁଥିଲା ୨୧ ଦିନର ଶିଶୁ କନ୍ୟା । ଏକ କାଠ ବାକ୍ସରେ ରଖି କେହି ନିର୍ଦ୍ଦୟ ଗଙ୍ଗାରେ ଭସାଇଦେଇଥିଲା । ଗଙ୍ଗାର ଦାଦ୍ରୀ ଘାଟ ନିକଟରେ ଏହି ବାକ୍ସଟି ଭାସୁଥିବା ବେଳେ ଏହାକୁ ଜଣେ ନାଉରିଆ ଦେଖିବାକୁ ପାଇଥିଲା । ସେ ଏହି ବାକ୍ସ ଖୋଲିବା ମାତ୍ରେ ଜୀଅନ୍ତା ଛୁଆକୁ ଦେଖି ପୂରା ଚମକି ପଡ଼ିଥିଲା । ବାକ୍ସରେ ଶିଶୁ ସହ ଦେବାଦେବୀଙ୍କ ଫଟୋ ଥିଲା । ଏହା ସହ ତାର ଜାତକ ମଧ୍ୟ ଥିଲା । ତେବେ ଏହାକୁ ଝିଅ କରି ରଖିବା ପାଇଁ ନାଉରିଆ ପରିବାର ଚିନ୍ତା କରିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଖବର ଦେବା ପରେ ପୁଲିସ ଶିଶୁଟିକୁ ଉଦ୍ଧାର କରି ଶିଶୁ ଯତ୍ନ ଗୃହକୁ ପଠାଇଦେଇଛି ।

ନାଉରିଆଜଣକ ନଦୀ ଆରପାଖରୁ ଡଙ୍ଗାଧରି ଘାଟକୁ ଫେରୁଥିବା ବେଳେ ବାକ୍ସ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ସେ ସେହି ବାକ୍ସ ପାଖକୁ ଡଙ୍ଗାଧରି ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ । ଘରକୁ ଆଣି ରଖିବା ସହ ତାର ନାଁ ମଧ୍ୟ ଗଙ୍ଗା ଦେଇଥିଲେ । ପୁଲିସ ଜାତକରୁ ଛୁଆର ଘର ଠିକଣା ଜାଣିବାକୁ ଚେଷ୍ଟା କରୁଛି । ଛୁଆଟି ପୂରା ସୁସ୍ଥ ଥିବା ପୁଲିସ ସୂଚନା ଦେଇଛି ।

Comments are closed.