ବରଗଡ଼: ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍ ଜବତ କରିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ପୋଲିସର ଚଢାଉ ସମୟରେ OD 02 DP 4745 ନମ୍ବର ଥିବା ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ଗାଡ଼ି ଭିତରୁ ୨୨ଟି ପ୍ଲାଷ୍ଟିକ୍ ବସ୍ତା ଜବତ କରାଯାଇଛି। ପ୍ରତ୍ୟେକ ବସ୍ତାରେ ୩ କାର୍ଟୁନ୍ ଲେଖାଏଁ ଯେଉଁଥିରେ ପ୍ରତି କାର୍ଟୁନ୍ରେ ୧୦ ବୋତଲ ହିସାବରେ ସର୍ବମୋଟ ୭,୯୨୦ ବୋତଲ ‘ୱିନସେରେକ୍ସ’ କଫ୍ ସିରପ୍ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନ ହେଲେ ମାନସ ପାଣ୍ଡେ (୨୫) ଝାଙ୍କରପାଲି(ବରଗଡ଼ ) , ଶରତ ଚନ୍ଦ୍ର ତୁଙ୍ଗ (୩୨) ୱାର୍ଡ ନଂ ୨୬(ଭୁବନେଶ୍ୱର) ।
ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।