ଭୁବନେଶ୍ବର: ସରକାରୀ ବ୍ୟବହାର ପାଇଁ ଭଡ଼ାରେ ଆସିବ ବୈଦ୍ୟୁତିକ ଯାନ (ଇଭି) । ଭଡାରେ ନିୟୋଜିତ ବୈଦ୍ୟୁତିକ ଯାନର (EV) ଭଡ଼ା ଦେୟ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। ବ୍ଲକ୍ , ତହସିଲ ସ୍ତରରେ ମାସିକ ୫୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।
ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକ ଜିଲ୍ଲା ସ୍ତର ପାଇଁ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲା ଜଜ୍ ,ଜିଲ୍ଲାପାଳ ,ଏସ୍ପିଙ୍କ ପାଇଁ ୬୦ ହଜାର ଟଙ୍କା ରହିଛି । ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବଙ୍କ ପାଇଁ ୬୫ ହଜାର ଟଙ୍କା ରହିଥିବା ସମୟରେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପଇଁ ୭୦ ହଜାର ଟଙ୍କା ରହିଛି ।
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ଜଜ୍ ଓ ମନ୍ତ୍ରୀଙ୍କ ପାଇଁ ୮୦ ହଜାର ଟଙ୍କା ।
ଭଡ଼ା ଦେୟ ମଧ୍ୟରେ ଚାର୍ଜିଂ ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବନାହିଁ । ଇଭି ଚାର୍ଜିଂ ବାବଦରେ କିମି ପିଛା ୨ ଟଙ୍କା ହାରରେ ଦେୟ ପ୍ରଦାନ କରାଯିବ ।
ସୂଚନାଥାଉକି, ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଇନ୍ଧନ ଓ ଶକ୍ତି ସମସ୍ୟା ତଥା ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ କାର୍ଯ୍ୟ ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (ଇଭି) କିଣିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଜୁନ୍ ୧, ୨୦୨୬ ରୁ ଲାଗୁ ହୋଇଛି।

Comments are closed.