Latest Odisha News

BREAKING NEWS

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।  କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆଜି ସକାଳୁ  କଟକ ଓ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଥିବା ଦେଖବିକୁ ମିଳିଛି। ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଗତକାଲି ଅପରାହ୍ଣରେ ପ୍ରବଳ ଝଡ଼ବର୍ଷା ହେବାରୁ ନୟାଗଡ଼ର ୩ଟି ବ୍ଲକ୍-ନୟାଗଡ଼, ନୂଆଗାଁ ଏବଂ ଓଡ଼ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ତାର ଛିଡ଼ି ଯିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ପ୍ରବଳ ପବନ ଯୋଗୁ ଗଛ ଓ ଆଜବେଷ୍ଟସ୍ ଛପର ପଡ଼ି ନୟାଗଡ଼ରେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଗଛ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର ବେନୋରା ପଞ୍ଚାୟତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ କାଳବୈଶାଖୀ ତାଣ୍ଡବରେ ରାୟଗଡା ଗୁମୁ଼ଡା ରେଳ ଷ୍ଟେସନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇ ରେଳ ଧାରଣା ଉପରେ ପଡ଼ିଥିବା ନଜର ଆସିଥିଲା। ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା।

ଓଡ଼ିଶା- ଆନ୍ଧ୍ର ଦେଇ ଚଳାଚଳ କରୁଥିବା ୬ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୨ଟି ଟ୍ରେନର ଗତିପଥ ବଦଳା ଯାଇଛି। ଘଟଣାସ୍ଥଳରେ ରେଳବାଇ ଇଞ୍ଜିନିୟର ଟିମ୍ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ୍‌ ମରାମତି କାମ କରିଛନ୍ତି । କଟକ ଓ ଭୁବନେଶ୍ୱରରେ ମଧ୍ୟ ଗତକାଲି ସନ୍ଧ୍ୟା ଏବଂ ରାତିରେ ପ୍ରବଳ ବର୍ଷା ପବନ ହୋଇଥିଲା।

Leave A Reply

Your email address will not be published.