ଇଟାନଗର: ଅରୁଣାଚଳପ୍ରଦେଶର ଅଞ୍ଜାବ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ବିପଦପୂର୍ଣ୍ଣ ପାହାଡିଆ ରାସ୍ତାରୁ ହଜାର ଫୁଟ ଗଭୀର ଘାଟିରେ ଖସିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି।
ବୁଧବାର ଦିନ ହାୟୁଲିଆଙ୍ଗ-ଚଗଲାଗାମ ରାସ୍ତାରେ ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରୀ ଚା ବଗିଚାର ବାସିନ୍ଦା ଥିଲେ। ସେମାନେ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟ୍ କୁ କାମ କରିବାକୁ ଯାଉଥିଲେ।
ସେହି ବାଟ ଦେଇ ଯାଉଥିବା ଲୋକମାନେ ଟ୍ରକଟି ଘାଟିକୁ ଖସି ପଡ଼ିବାର ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନାମୁତାବକ, ପୋଲିସ, ଜିଲ୍ଲା ପ୍ରଶାସନ, SDRF ଏବଂ ସେନା ଦଳ ମିଳିତ ଭାବରେ ଏହି ଅଭିଯାନ ପରିଚାଳନା କରୁଛନ୍ତି।
କୁହାଯାଉଛି ଯେ ଟ୍ରକଟି ଯେଉଁଠାରେ ଘାଟିରେ ଖସିପଡ଼ିଛି ତାହା ସହରଠାରୁ ବହୁତ ଦୂରରେ ଏକ ଦୁର୍ଗମ ଅଞ୍ଚଳରେ ।