ମାଲକାନଗିରି: ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଙ୍ଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୨୨ ଜଣ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। ବର୍ତ୍ତମାନ ମାଓ ଦମନରେ ନିର୍ଣ୍ଣାୟକ ମୋଡ଼ରେ ରହିଛନ୍ତି ଯବାନ। ମାଓବାଦୀ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି।
ଛତିଶଗଡ଼ ସରକାରଙ୍କ ସମେତ ପୋଲିସ ବିଭାଗ ଓ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି। ଗତ କିଛି ଦିନ ମଧ୍ୟରେ କାରେଗଟ୍ଟା ଜଙ୍ଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି।
ଏଥିସହ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଆଲୁରି ସୀତାରାମ ରାଜୁ ଜିଲ୍ଲାର ୱାଇ ରାମଭରମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡର ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
ମୃତ ମାଓବାଦୀ ମାଲକାନଗିରି ଜିଲ୍ଲାର କାଲିମେଳା ଏରିଆ କମିଟିର ଡିସିଏମ କ୍ୟାଡର ମାଓ ନେତା ରମେଶ ଏବଂ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଞ୍ଚଳର ଏସିଏମ କ୍ୟାଡର ମାଓବାଦୀ ନେତା ସନ୍ତୁ ନାଚିକା। ଘଟଣା ସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।
ଏହି ବଡ଼ ସଫଳତା ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ମିଳିଛି। ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରୁଛନ୍ତି ସୁରକ୍ଷକର୍ମୀ। ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।
Comments are closed.