ଭୁବନେଶ୍ୱର: ଶୁକ୍ରବାର ସକାଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ଖାଲି ପ୍ଲଟ ସଫା କରିବା ବେଳେ ଆହତ ଅବସ୍ଥାରେ ଏକ ନାଗ ସାପ ଉଦ୍ଧାର ହୋଇଛି । କାମ କରୁଥିବା ଲୋକେ ସାପଟିକୁ ଉଦ୍ଧାର କରିବା ସ୍ନେକ ହେଲ୍ପ ଲାଇନ ର ସହାୟତା ଲୋଡିଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଜେସିବି ମାଡରେ ସାପଟି ଘାଇଲା ହୋଇ ଥିବା ଦେଖିବାକୁ ପାଇଥିଲେ । ସାପଟିକୁ ଉଦ୍ଧାର କରିବା ବେଳେ ତା ପେଟ ତଳେ ଫୁଟି ଯାଇଥିବା ଦେଖିବାକୁ ପାଇଥିଲେ ପୂର୍ଣ୍ଣ ।
ସାପଟିକୁ ବ୍ୟାଗରେ ଭର୍ତ୍ତି କରିବା ବେଳେ ଯେଉଁ ଯାଗାରେ ପେଟ ଫାଟି ଯାଇଥିଲା, ତା ଭିତରେ ସାପ ପେଟରେ ଥିବା ଅଣ୍ଡା ସ୍ପଷ୍ଟ ଦେଖିବାକୁ ପାଇଲେ ପୂର୍ଣ୍ଣ । ଗୁରୁତର ଆହତ ହୋଇଥିବା ନାଗୁଣୀ ପେଟରେ ଅଣ୍ଡା ଭର୍ତ୍ତି ହୋଇଥିବା ଦେଖି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣେଇ ଥିଲେ । ଶୁଭେନ୍ଦୁ ତୁରନ୍ତ ସାପଟିକୁ ଦେଖିବା ପାଇଁ ଯାଇ ପ୍ରାଥମିକ ଯାଞ୍ଚ କରିବାରୁ ଦୁଇଟି ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଏବଂ ସାପଟି ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା ।
ଅପରାହ୍ନରେ ଆହତ ସାପଟିକୁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗରେ ଭର୍ତ୍ତି କରା ଯାଇଥିଲା । ସର୍ଜରି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବିଶ୍ଵଦୀପ ଜେନା ପ୍ରଥମେ ସାପର ଏକ୍ସରେ କରି ପ୍ରାୟ ୨୦ରୁ ଉର୍ଦ୍ଧ ଅଣ୍ଡା ସାପ ପେଟରେ ଥିବା ଦେଖା ଯାଇଥିଲା । ଜେସିବି ମାଡରେ ଦୁଇଟି ଜାଗାରେ ଗୁରୁତର ଆଘାତ ଲାଗିଥିଲା, ଏବଂ ସେଥିରୁ ଗୋଟିଏ କ୍ଷତ ଅତ୍ୟନ୍ତ ଗୁରୁତର ଥିଲା ଏବଂ ସେଇ କ୍ଷତ ପଟେ ଗୋଟିଏ ଅଣ୍ଡା ବାହାରୁ ସ୍ପଷ୍ଟ ଦେଖା ଯାଉଥିବା ଦେଖିବାକୁ ପାଇଲେ । ଏହାପରେ ଅପରେସନ କରି ପ୍ରଥମେ ଅଣ୍ଡା ଗୁଡିକ ବାହାର କରିବା ପାଇଁ ସ୍ଥିର କରିଥିଲେ ଡାକ୍ତର ଜେନା । ପ୍ରଥମେ ସାପଟିକୁ ଓଜନ କରି ସେଇ ଅନୁସାରେ ଗ୍ୟାସ ଆନାସ୍ଥେସିଆ ଦ୍ଵାରା ସାପକୁ ବେହୋସ କରିବା ପରେ ଡାକ୍ତର ଜେନାଙ୍କ ଟିମ୍ ସାପର କ୍ଷତକୁ ଭଲ ଭାବରେ ସାଲାଇନରେ ଧୋଇ ସଫା କରିବା ପରେ ଅପରେସନ କରି ପ୍ରଥମେ ଯେଉଁ ଅଣ୍ଡାଟି ଦେଖାଯାଉଥିଲା, ସେଇଟିକୁ ଅପରେସନ କରିବା ବେଳେ ତାହା ଜେସିବି ମାଡରେ ନଷ୍ଟ ହୋଇ ଯାଇଥିବା ଦେଖାଗଲା ।
ପରେ ଅତି ସତର୍କ ସହକାରେ ଅନ୍ୟ ଅଣ୍ଡା ଗୁଡିକ ବାହାର କରିବା ପାଇଁ ଅପରେସନ କରିଚାଲିଲେ ଡାକ୍ତର ଜେନା ଏବଂ ତାଙ୍କ ଟିମ୍ । ମୋଟ ୨୩ଟି ଅଣ୍ଡାକୁ ଅକ୍ଷତ ଅବସ୍ଥାରେ ଅପରେସନ କରି ବାହାର କରାଗଲା ପରେ, ଆଉ ଅଣ୍ଡା ନଥିବା ଦେଖି କ୍ଷତ ସ୍ଥାନ ଗୁଡିକୁ ଷ୍ଟିଚ ପକେଇ ବନ୍ଦ କରିଥିଲେ ଡାକ୍ତର ଜେନା ।
ଏନେଇ ଡାକ୍ତର ବିଶ୍ଵଦୀପ ଜେନା କହିଛନ୍ତି “ଆମ ପାଇଁ ଗର୍ଭବତୀ ନାଗୁଣୀର ଅପରେସନ ଖୁବ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା । ଯଦିଓ ଅପରେସନ ସଫଳ ହୋଇଛି, କିନ୍ତୁ ୨-୪ ଦିନ ଅବଜର୍ଭେସନରେ ରହିବା ପରେ ସାପର ଭବିଷ୍ୟତ ଜଣା ପଡିବ । ସାପକୁ ଆଣ୍ଟି ବାୟୋଟିକ ଏବଂ ପେନ୍ କିଲର ଇଞ୍ଜେକ୍ସନ ଦେଇଛୁ । ଅଣ୍ଡା ଗୁଡିକ ପ୍ରିମ୍ୟାଚ୍ୟୁଅର ଡେଲିଭରି ହେଇଛି କି ନାହିଁ ତାହା ଏବେ ଜଣା ପଡିବ ନାହିଁ ”।
Comments are closed.