Latest Odisha News

୨୩ ବର୍ଷର ସ୍ଥାୟୀ ବିଜେଡି ସରକାର ଓଡ଼ିଶାକୁ ଦାରିଦ୍ର୍ୟ ମୁକ୍ତ କରିପାରିଲା ନାହିଁ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୀର୍ଘ ୨୩ବର୍ଷର ଗୋଟିଏ ସ୍ଥାୟୀ ସରକାର ସତ୍ତ୍ୱେ ଯଦି ଓଡିଶା ଦାରିଦ୍ର‌୍ୟ ମୁକ୍ତ ହୋଇପାରିଲାନାହିଁ ଓ ଓଡ଼ିଶାରେ ଭାରତର ସବୁଠାରୁ ଅଧିକ ବଞ୍ଚିତ ଜନସାଧାରଣ ବସବାସ କଲେ ତାହା ଠାରୁ ଦୁର୍ଭାଗ୍ୟଜନକ ଜିନିଷ ଆଉ କ’ଣ ଥାଇପାରେ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ଆମେରିକା ନାସା ସଂସ୍ଥାର “ସୋସିଓ-ଇକୋନୋମିକ୍ ଡାଟା ଆଣ୍ଡ୍ ଆପ୍‌ଲିକେସନ୍ ସେଣ୍ଟର୍‌” ତରଫରୁ ଭାରତବର୍ଷର ବିଭିନ୍ନ ରାଜ୍ୟରେ ବଞ୍ଚିତ ମାନଙ୍କର ଏକ ସୂଚ୍ୟାଙ୍କ ପ୍ରକାଶ ପାଇଛି। ଏଥିରେ ଦାରିଦ୍ର‌୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଉପଗ୍ରହ ମାଧ୍ୟମରେ ଉତୋଳିତ ଚିତ୍ର ମାଧ୍ୟମରେ କେଉଁ ରାଜ୍ୟର ଦାରିଦ୍ର‌୍ୟ କେତେ ଭୟଙ୍କର କେତେ ଉତ୍କଟ, ସେ ସଂକ୍ରାନ୍ତରେ ଏକ ଚିତ୍ର ପ୍ରଦାନ କରାଯାଇଛି। ସେହି ତଥ୍ୟ ଅନୁଯାୟୀ ବର୍ତ୍ତମାନ ଓଡ଼ିଶାର ସ୍ଥାନ ଦେଶର ବୃହତ ରାଜ୍ୟମାନଙ୍କ ଭିତରେ ତଳଆଡୁ ତୃତୀୟ ସ୍ଥାନରେ ରହିଛି। ଏହା ଏକ ଦୁର୍ଭାଗ୍ୟଜନକ ସ୍ଥିତି ବୋଲି ସତ୍ୟବ୍ରତ ପଣ୍ଡା କହିଛନ୍ତି।

ଗତ ୯ ବର୍ଷ ମୋଦୀ ସରକାର ଅମଳରେ ଓଡ଼ିଶାକୁ ରେକର୍ଡ ପରିମାଣର ୧୮.୯୩ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ମିଳିଛି। କିନ୍ତୁ ରାଜ୍ୟରେ ଅପାରଗ ବିଜେଡି ସରକାର କାରଣରୁ ସଠିକ୍ ବିକାଶ କାର୍ଯ୍ୟ ହୋଇପାରୁନାହିଁ। “ଓଡିଶା ଧନୀ, କିନ୍ତୁ ଓଡ଼ିଆ ଗରୀବ” ହୋଇ ରହିଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବାରୁ ବଞ୍ଚିତ ରହୁଛନ୍ତି ଓଡ଼ିଶାବାସୀ। କେବଳ ପ୍ରଚାର ଓ ପ୍ରସାରରେ ସୀମିତ ହୋଇ ରହିଯାଇଛି ଓଡ଼ିଶାର ବିକାଶ। ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତା ଘର ସାଜିଛି ଓଡିଶା। ଅପାର ସମ୍ଭାବନା ଭରପୁର ଓଡ଼ିଶାକୁ ବିକାଶର ସ୍ରୋତରେ ସାମିଲ କରିବାକୁ ଶାସକ ବିଜୁ ଜନତା ଦଳକୁ ଆହୁରି କେତେ ବର୍ଷ ଆବଶ୍ୟକ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି।

Comments are closed.