Latest Odisha News

BREAKING NEWS

ଅନନ୍ୟ ଗାଁ: ପ୍ରତି ପରିବାର ପାଖରେ ଅଛି ଡଙ୍ଗା, କାରଣ କ’ଣ ଜାଣନ୍ତୁ

ବିହାର: ବିହାରରେ ଅନେକ ଅଦ୍ଭୁତ ଗ୍ରାମ ରହିଛି, ଯାହା ଭିନ୍ନ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଥାଏ । ସେହିପରି ସିୱାନ୍ ଜିଲ୍ଲାରେ ଏପରି ଗୋଟିଏ ଗାଁ ରହିଛି, ଯେଉଁଠାରେ ପରିବାର ସଂଖ୍ୟା ଅପେକ୍ଷା ଅଧିକ ଡଙ୍ଗା ରହିଛି । ଏହି ଗାଁଟି ହେଉଛି ତିର ବାଲୁଆ ଗାଁ । ଏବେ ସୋସିଆଲ ମିଡ଼ିଆରେ ଏହି ଗାଁ ଖୁବ୍ ଚର୍ଚ୍ଚାରେ ।

ତିର ବାଲୁଆ ଗାଁ ଗଣ୍ଡକ ନଦୀ ଏବଂ ସାରୁ ନଦୀ କୂଳରେ ଅବସ୍ଥିତ । ଏଠାରେ ୧୨୦ ପରିବାର ବସବାସ କରୁଛନ୍ତି । ହେଲେ ଡ଼ଙ୍ଗା ରହିଛି ୧୫୦ଟି । ଏଠାରେ ଥିବା ଡଙ୍ଗା ସଂଖ୍ୟା ପରିବାର ସଂଖ୍ୟାଠାରୁ ଅଧିକ । ଏଠାକାର ଲୋକଙ୍କ ପାଇଁ ଡଙ୍ଗା ରଖିବା ସଉକ ନୁହେଁ ବରଂ ଏକ ବାଧ୍ୟତାମୂଳକ । ସ୍ଥାନୀୟ ଲୋକଙ୍କ ପାଖରେ ବାଇକ୍‌, କାର୍ କିମ୍ବା ଘୋଡା ନ ଥାଇପାରେ, କିନ୍ତୁ ପ୍ରତ୍ୟେକ ଘରେ ଏକ ଡଙ୍ଗା ନିଶ୍ଚିତ ଭାବରେ ମିଳିବ । ଏଠାରେ ଥିବା ଲୋକମାନଙ୍କର ଦିନର ସମ୍ପୂର୍ଣ୍ଣ ରୁଟିନ୍ ଡଙ୍ଗାରେ ଅତିବାହିତ ହୁଏ ।

ଏହି ଗାଁ ଲୋକେ ସମସ୍ତ ଦୈନନ୍ଦିନ କାର୍ଯ୍ୟ ଡଙ୍ଗା ସାହାଯ୍ୟରେ ହିଁ କରିଥାନ୍ତି । ସେମାନେ ଗାଧୋଇବା, ପୋଷାକ ଧୋଇବା, ବାସନ ଧୋଇବା, ଚାଷ କରିବା, ପଶୁମାନଙ୍କ ପାଇଁ ଖାଇବାକୁ ଆଣିବା, ଫସଲ ଆଣିବା, ଜୀବିକା ପାଇଁ ମାଛ ଧରିବା ଆଦି ସମସ୍ତ କାର୍ଯ୍ୟ ଡଙ୍ଗା ଦ୍ୱାରା କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, ପ୍ରତିବର୍ଷ ନଦୀରେ ଜଳ ବୃଦ୍ଧି ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ଫସଲ ସହିତ ଘରଦ୍ୱାର ବି ନଷ୍ଟ ହୋଇଯାଇଥାଏ । ଏହି କାରଣରୁ ଡଙ୍ଗା କେବଳ ବିକଳ୍ପ ପାଲଟିଥାଏ । ଯଦି ନଦୀ କୂଳରେ ଏକ ରିଙ୍ଗ ଡ୍ୟାମ୍ ନିର୍ମାଣ କରାଯାଏ, ତେବେ ବନ୍ୟା ସମସ୍ୟାର ସମାଧାନ ହେବ ଏବଂ ବନ୍ୟା ସହିତ ଡଙ୍ଗାକୁ ରଖିବା ସମସ୍ୟା ମଧ୍ୟ ସମାଧାନ ହେବ ।

ସବୁଠୁ ବଡ଼ କଥା, ଗ୍ରାମବାସୀ ନିଜ ହାତରେ ହିଁ ନିଜର ଡଙ୍ଗା ନିର୍ମାଣ କରିଥାନ୍ତି । ବଜାରରୁ ଡଙ୍ଗା ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପରେ ଡଙ୍ଗା ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରି ଦେଇଥାନ୍ତି । ଏଠାକାର ଲୋକେ ଡଙ୍ଗା ତିଆରି କରିବାରେ ପୂରା ପାରଙ୍ଗମ । ଏକ ଡଙ୍ଗା ତିଆରି କରିବା ପାଇଁ ସେମାନଙ୍କର ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଲୋକମାନେ ସେମାନଙ୍କର ଆବଶ୍ୟକତା ପାଇଁ ଡଙ୍ଗା ତିଆରି କରନ୍ତି । ବିକ୍ରି କରନ୍ତି ନାହିଁ ।

Leave A Reply

Your email address will not be published.