Latest Odisha News

BREAKING NEWS

ବର୍ଷେ ପୂରିନି, ୨୫ ଲକ୍ଷର ‘ସ୍ବଛ ସବାରୀ’ କୋମାରେ

ନବରଙ୍ଗପୁର: ବିନା ଇନ୍ଧନରେ ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ନବରଙ୍ଗପୁର ପୌରପାଳିକା ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଗାଡ଼ି କିଣା ଯାଇଥିଲା। ତେବେ ରାସ୍ତାରେ ଗଡ଼ିବାର ଏକବର୍ଷ ନ ପୁରୁଣୁ ସବୁତକ ଗାଡି ଅକାମି ହୋଇ ପଡି ରହିଛି। ଯାହା ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଏବେ ଖତଗଦାରେ  ।

ନବରଙ୍ଗପୁର ପୌରପାଳିକା ପକ୍ଷରୁ ବେଟେରୀ ଚାଳିତ ଗାଡି ଗୁଡିକୁ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା । ଏହି ଗାଡିର ନାମ ରଖାଯାଇଥିଲା ସ୍ବଛ ସବାରୀ । ଏହି ଗାଡିରେ ମହିଳା ମାନଙ୍କୁ ନିୟୋଜିତ କରାଯାହୋଇଥିଲା। ଗୋଟିଏ ଗୋଟିଏ ଗାଡିରେ ୨ ଜଣ ମହିଳା ନିୟୋଜିତ ହୋଇଥିଲା। ମହିଳାମାନେ ଏହି ଗାଡ଼ି ଚଲାଇ ସହରର ପ୍ରତି ସାହି ଓ ଗଳି କନ୍ଦି ଯାଇ ଘରଘର ବୁଲି ଓଳିଆ ସଂଗ୍ରହ କରୁଥିଲେ । ଉକ୍ତ ଓଳିଆକୁ ନେଇ ନବରଙ୍ଗପୁରର ୧୫ ନମ୍ବର ୱାର୍ଡ ସ୍ଥିତ ପୌର ପାଳିକାର ଓଳିଆ ପ୍ରକ୍ରିୟା କେନ୍ଦ୍ରକୁ ନେଉଥିଲେ । ସେଠାରେ ସଂଗ୍ରହ କରାଯାଇଥିବା ଅଳିଆକୁ ଖତ ଆକାରରେ ପରିଣତ କରାଯାଉଥିଲା। ଏହି କାମରେ ନିୟୋଜିତ ଥିବା ୨୦ ଜଣ ମହିଳା ପୌରପାଳିକାଠାରୁ ପାରିଶ୍ରମିକ ପାଇ ରୋଜଗାରକ୍ଷମ ହୋଇଥିଲେ ।

ଏବେ ବେଟେରୀ ଚାଳିତ ଗାଡି ଗୁଡିକ ସାମାନ୍ୟ ଖରାପ ହୋଇ ପଡ଼ି ରହିଛି ।  ଏହାର ମରାମତି କରାଯାଉନି ।  ଏବେ ସମସ୍ତ ୧୦ ଟି ଯାକ ଗାଡି  ଖତ ଖାଇବା ପାଇଁ ପକେଇ ରଖାଯାଇଛି।

ଘର ମାନଙ୍କଠାରୁ ଅଳିଆ ଉଠାଇବା ପାଇଁ ପୌରପାଳିକା ଅଞ୍ଚଳର ୧୭ଟି ୱାର୍ଡବାସୀଙ୍କଠାରୁ ଘର ପିଛା ମାସିକ ୩୦ ଟଙ୍କା ଶୁଳ୍କ ମଧ୍ୟ ଆଦାୟ କରାଯାଉଥିଲା।  ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ଯାଇଥିବା ଗାଡି ଗୁଡିକୁ  ଯେଉଁ ସଂସ୍ଥା ଠାରୁ  କିଣାଯାଇଥିଲା ସେ ସଂସ୍ଥା  ମରାମତି କରୁନି କି  ପୌରପାଳିକା ଏଥିପ୍ରତି ଧ୍ୟାନ ଦେଉନି ।

ଏହି  ଗାଡି ଆଇଟିଆଇ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ  ମରାମତି କରିବା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଯେଉଁ ଆଇଟିଆଇ କେନ୍ଦ୍ରରେ ମୋଟର ମେକାନିକାଲ ପାଠ୍ୟକ୍ରମ ରହିଛି ସେହି ଛାତ୍ରଛାତ୍ରୀ ମାନେ ଗାଡି ଗୁଡିକର ମରାମତି କରିବେ । ଲକ୍ଷ୍ୟ ଥିଲା, ଛାତ୍ରଛାତ୍ରୀମାନେ କିଛି ରୋଜଗାର ପାଇପାରିବେ ଏବଂ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ଦେବେ। ଏ ନେଇ ରାଇଘର ଆଇଟିଆଇ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ତେବେ ରାଇଘର ଠାରୁ ନବରଙ୍ଗପୁର ପ୍ରାୟ ୧୦୦ କିମି ଦୁର ପଡୁଥିବାରୁ ଏବଂ ଯିବା ଆସିବା କରିବା ପାଇଁ ସେପରି କୌଣସି ସୁବିଧା ନଥିବାରୁ ଛାତ୍ରଛାତ୍ରୀ ମାନେ ନବରଙ୍ଗପୁର ଯିବା ପାଇଁ ଅନିଛା ପ୍ରକାଶ କରିବାରୁ ରାଇଘର ସହିତ ଚୁକ୍ତି ବାତିଲ ହୋଇଥିଲା ।  ଗାଡି ଗୁଡିକର ମରାମତିଳ ଦାୟିତ୍ୱ  ଶୀଘ୍ର ଆଉ ଗୋଟିଏ ସଂସ୍ଥାକୁ ଦିଆଯିବ ବୋଲି କହିଛନ୍ତି ନବରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ।

Leave A Reply

Your email address will not be published.