Latest Odisha News

BREAKING NEWS

ଦେଶରେ ମୋବାଇଲ ସେବାକୁ ୨୫ ବର୍ଷ ପୂରିଲା ଆସନ୍ତୁ ନଜର ପକାଇବା ଓଡିଶାରେ କଣ ରହିଥିଲା ପ୍ରମୁଖ ୫ ମାଇଲଖୁଣ୍ଟ

ଭୁବନେଶ୍ୱର: ୧୯୯୫ ମସିହା ଆଜିର ଦିନ ଅର୍ଥାତ୍ ଜୁଲାଇ ୩୧ ତାରିଖ । କୋଲକାତା ସହରରୁ ମୋବାଇଲରେ ଏକ କଲ ଯାଇଥିଲା ଦିଲ୍ଲୀକୁ । କଲ୍ କରିଥିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ ଆରପଟେ ଥିଲେ ତତକାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମ । ଆଉ ତାହା ଥିଲା ଦେଶର ପ୍ରଥମ ମୋବାଇଲ କଲ୍ । ଏକ ନୋକିଆ ମୋବାଇଲ ଯୋଗେ ଏହି ଐତିହାସିକ କଲ କରାଯାଇଥିଲା ।

ଏହା ଭିତରେ ବିତିଯାଇଛି ୨୫ ବର୍ଷ । ମୋବାଇଲ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ । ଆରମ୍ଭ ସମୟରେ ଏହା ଆଭିଜାତ୍ୟର ସନ୍ତକ ଥିବା ବେଳେ ଏହା ଏକରକମ ମୌଳିକ ଅବଶ୍ୟକତା ପାଲଟିଛି ।

ତେବେ ଓଡିଶାକୁ ପ୍ରାୟ ଦେଢ ବର୍ଷ ପରେ ପହଞ୍ଚିଥିଲା ମୋବାଇଲ ସେବା । ସେବେଠାରୁ ଆଜି ଯାଏଁ ଓଡିଶାରେ ମୋବାଇଲ ଯୋଗାଯୋଗ କ୍ଷେତ୍ରରେ ଆସିଥିବା ୫ଟି ପ୍ରମୁଖ ଘଟଣା ଉପରେ ଆସନ୍ତୁ ନଜର ପକାଇବା ।

-୧୯୯୬ ଡିସେମ୍ବରରେ ରାଜ୍ୟରେ ଉଷା ଫୋନ ନାଁରେ ସେବା ଆରମ୍ଭ କରିଥିଲା କୋଷିକା ଟେଲିକମ୍ । ଏହା ପରବର୍ଷ ଆସିଥିଲା ରିଲାଏନ୍ସ ମୋବାଇଲ୍ । ସେତେବେଳେ ଉଭୟ ଥିଲା ପୋଷ୍ଟ ପେଡ୍ ଏବଂ ଆଉଟଗୋଇଂ ସହିତ ଇନକମିଂ ପାଇଁ ବି ମିନିଟ୍ ପିଛା ପଇସା ଦେବାକୁ ପଡୁଥିଲା । କେହି ଫୋନ କଲେ ରିସିଭ୍ କରିବା ପାଇଁ ମିନିଟ୍ ପିଛା ପ୍ରାୟ ୬ଟଙ୍କା ପଡୁଥିବାରୁ କଥାବାର୍ତ୍ତା ପାଇଁ ମୋବାଇଲ ବ୍ୟବହାର ସୀମିତ ଥିଲା । ବିଶେଷ କରି ସମ୍ଭ୍ରାନ୍ତ ଲୋକଙ୍କ ପାଇଁ ଏହା ଏକ ସୌଖୀନ ସାମଗ୍ରୀ ଭାବେ ବିବେଚନା କରାଯାଉଥିଲା । ପରବର୍ତ୍ତୀ ସମୟରେ ରିଲାଏନ୍ସ ମୋବାଇଲର ନାମ ବଦଳି ରିଲାଏନ୍ସ ସ୍ମାର୍ଟ ହୋଇଥିଲା ।

-ରାଜ୍ୟରେ ମୋବାଇଲ ସେବାରେ ସବୁଠୁ ବଡ ପରିବର୍ତ୍ତନ ଆଣିଥିଲା ୨୦୦୨ ମସିହାରେ ରିଲାଏନ୍ସ କମ୍ୟୁନିକେସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମନସୁନ୍ ହଙ୍ଗାମା ଅଫର’ । ଏଥିରେ ବଜାରକୁ ଆସିଥିଲା ୫୦୧ ଟଙ୍କିଆ ସିଡିଏମ୍‌ଏ ଫୋନ ଏବଂ ଏଥି ସହିତ ରହିଥିଲା ରିମ୍ ଟୁ ରିମ୍ ଅନଲିମିଟେଡ୍ କଲିଙ୍ଗ ସୁବିଧା ।
ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଏହି ଫୋନ କିଣିବା ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା।

– ୨୦୦୪ ଶେଷ ଆଡକୁ ଆସିଥିଲା ଭାରତୀ ଏୟାରଟେଲ । ସେହିବର୍ଷ ଡିସେମ୍ବର ୧୬ରେ ସୁନୀଲ ଭାରତୀ ମିତ୍ତଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ କଲ କରିବା ସହିତ ଓଡିଶାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏୟାରଟେଲ ମୋବାଇଲ ସେବା । ପୂର୍ବରୁ ପ୍ରାୟତଃ ସହରାଞ୍ଚଳରେ ସୀମିତ ଥିବା ମୋବାଇଲ ସେବା ଏୟାରଟେଲ ସହିତ ରାଜ୍ୟର ବିଭିନ୍ନ ଅଂଚଳକୁ ପ୍ରସାରିତ ହୋଇଥିଲା ।

-ଏକ ବଡ ପରିବର୍ତ୍ତନ ଆଣିଥିଲା ଟାଟା ଡୋକୋମୋ । ଯେତେବେଳେ ଏହା ୨୦୦୯ ରେ ଗୋଟିଏ ସେକେଣ୍ଡକୁ ଗୋଟିଏ ପଇସାରେ କଲ୍ ସୁବିଧା ଆରମ୍ଭ କରିଥିଲା । ଏହା ପୂର୍ବରୁ ଏତେ କମ୍ ପଇସାରେ କେହି କଲ୍ ସୁବିଧା ଦେଉ ନ ଥିଲେ । ପରେ ଅନ୍ୟ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବି ନିଜ ନିଜ କଲ୍ ରେଟ୍ କମ୍ କରିଥିଲେ ।

– ୨୦୧୫ରେ ରିଲାଏନ୍ସ ଜିଓ ପକ୍ଷରୁ ଆରମ୍ଭ କରାଯାଇଥିଲା ପରୀକ୍ଷାମୂଳକ ମାଗଣା ୪ଜି ସେବା । ମାଗଣା କଲ ସାଙ୍ଗକୁ ମାଗଣା ହାଇସ୍ପିଡ୍ ଡାଟା ପ୍ରଦାନ କରି ଜିଓ ହଇଚଇ ସୃଷ୍ଟି କରିଥିଲା । ୨୦୧୬ ସେପ୍ଟେମ୍ବରରେ ବ୍ୟବସାୟିକ ଭାବେ ସେବା ଆରମ୍ଭ କରିଥିଲା ରିଲାଏନ୍ସ ଜିଓ । ଶସ୍ତା ଇଂଟରନେଟ୍ ସାଙ୍ଗକୁ ମାଗଣା ଭଏସ କଲିଂ ଯୋଗୁଁ ଦ୍ରୁତ ଗତିରେ ଗ୍ରାହକ ବଢାଇ ଜିଓ ଟେଲିକମ୍ ଜଗତରେ ଏକ ବଡ ଧରଣର ଓଲଟପାଲଟ ସୃଷ୍ଟି କରିଥିଲା । ଏଥି ସହିତ ଏକଦା ରାଜ୍ୟରେ ୧୨ଟି ମୋବାଇଲ ସେବା କମ୍ପାନୀଙ୍କ ମଧ୍ୟରୁ ଅନେକ ମୋବାଇଲ ବ୍ୟବସାୟରୁ ଅପସରି ଯାଇଥିଲେ ।

ଏବେ ରାଜ୍ୟରେ ମାତ୍ର ୪ଟି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌, ବିଏସ୍‌ଏନଏଲ୍ ଓ ଭୋଡାଫୋନ ଆଇଡିଆ ସେବା ପ୍ରଦାନ କରୁଛନ୍ତି । ଏପ୍ରିଲ ୩୦, ୨୦୨୦ ସୁଦ୍ଧା ଓଡିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଛି ।

ଆରମ୍ଭ ହେବା ଦିନଠାରୁ ଆଜିଯାଏଁ ବିଭିନ୍ନ ସମୟରେ ଓଡିଶାରେ ମୋବାଇଲ ସେବା ଯୋଗାଇଥିବା ୧୩ଟି କମ୍ପାନୀ ମଧ୍ୟରେ ରହିଛନ୍ତି ଭୋଡାଫୋନ,ଏୟାରସେଲ୍‌, ଆଇଡିଆ, ୟୁନିନର୍‌, ଟାଟା ଡୋକୋମୋ, ଟାଟା ଇଣ୍ଡିକମ୍‌, ଏସ୍‌ଟେଲ୍, ଉଷା, ରିଲାଏନ୍ସ ସ୍ମାର୍ଟ, ରିଲାଏନ୍ସ କମ୍ୟୁନିକେସନ, ବିଏସ୍‌ଏନଏଲ୍‌, ଏୟାରଟେଲ ଓ ରିଲାଏନ୍ସ ଜିଓ ।

Leave A Reply

Your email address will not be published.