ନୂଆଦିଲ୍ଲୀ: ୨୬/୧୧ ଘଟଣାର ମାଷ୍ଟରମାଇଣ୍ଡ୍ ତହବୁର ରାଣାର ଭାରତକୁ ଫେରାଇଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ଆତଙ୍କୀର ପ୍ରତ୍ୟର୍ପଣ ପ୍ରକିୟା ଆରମ୍ଭ ହୋଇଛି । ଆମେରିକାରୁ ସ୍ୱତନ୍ତ୍ର ବିମାନେ ଯୋଗେ ତାକୁ ଭାରତ ଅଣାଯାଉଛି । କଡା ସୁରକ୍ଷା ବଳୟରେ ଭାରତ ଆସୁଛି ତହବୁର ରାଣା । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରୁଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ।
ତହବୁର ଭାରତ ଆସିଲେ ମୁମ୍ବାଇ କିମ୍ବା ଦିଲ୍ଲୀର ଜେଲରେ ରହିପାରେ । ଏନେଇ ସବୁ ପ୍ରସ୍ତୁତି ସରିଥିବା ଜଣାପଡିଛି ।
ତେବେ ରାଣାକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ମୁମ୍ବାଇ ଆକ୍ରମଣରେ ସହିଦ କନଷ୍ଟେବଳ ରାହୁଲ ସିନ୍ଦେଙ୍କ ବାପା ସୁଭାଷ ସିନ୍ଦେ । ସେ କହିଛନ୍ତି ଯେ, ୧୬୬ ଲୋକଙ୍କ ଜୀବନ ନେଇଥିବା ଆକ୍ରମଣ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ, ଯାହା ପ୍ରାଣ ହରାଇଥିବା ପୁଲିସ ଅଧିକାରୀ ଏବଂ ନାଗରିକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ। ଏହି ଆକ୍ରମଣରେ ବହୁ ଲୋକଙ୍କୁ ହତ୍ୟା କରାଗଲା। ଏହାର ୧୬ ବର୍ଷ ବିତି ଯାଇଥିଲେ ବି ଘଟଣା ଆଜି ବି ଜୀବିତ ରହିଛି। ତହବୁର ଭୂମିକା ସାମ୍ନାକୁ ଆସିଥିବାରୁ ତା’କୁ ଆମେ ଜେଲରେ ଜୀବିତ ରଖି ଛାଡ଼ିଦେବା ଉଚିତ ନୁହେଁ। ତା’କୁ ଫାଶୀ ଖୁଣ୍ଟରେ ଝୁଲାଇବା ଉଚିତ।
ସୂଚନାଥାଉକି, ମୂଳତଃ ତହବୁର ପାକିସ୍ତାନୀ ହୋଇଥିବାବେଳେ କାନାଡ଼ାର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା। ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହବୁରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।
Comments are closed.