Latest Odisha News

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି , ୪୫ଟ୍ରେନ୍ ବାତିଲ୍

ଭୁବନେଶ୍ବର : ଆନ୍ଧ୍ର –ଓଡିଶା ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟଣା  । କଣ୍ଟାକାପାଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଲୋକ ପାଇଲଟ୍ , ଗାର୍ଡଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସିପିଆରଓ  । ସେପଟେ ଦୁର୍ଘଟଣା ଯୋଗୁଁ  ରେଳ ବିଭାଗ ପକ୍ଷରୁ ୪୫ଟି ଟ୍ରେନ୍ ବାତିଲ୍ କରାଯାଇଛି । ଚେନ୍ନାଇ-ପୁରୀ ଏକ୍ସପ୍ରେସ୍ , ତିରୁପତି-ବିଶାଖାପାଟଣା ପାସେଞ୍ଜର , ଭୁବନେଶ୍ବର –ବିଶାଖାପାଟଣା ଇଣ୍ଟରସିଟି , ରାୟପୁର –ବିଶାଖାପାଟଣା , ପଲାସା ବିଶାଖାପାଟଣା, ପାରାଦୀପ –ବିଶାଖାପାଟଣା , ରାୟଗଡା-ଗୁଣପୁର ଟ୍ରେନ୍ ବାତିଲ୍ ହୋଇଛି ।

୨୨ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ ୧୧ଟି ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି । ୬ଟି ଟ୍ରେନର ଛାଡିବା ସମୟରେ ପରିବର୍ତ୍ତନ କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା  ମରାମତି କାମ ସରିବା ନେଇ ସୂଚନା ଦେଇଛନ୍ତି ସିପିଆରଓ  । ଅନ୍ୟପଟେ ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ଘଟଣାରେ  ମୃତକଙ୍କ ପରିବାରକୁ  ସମବେଦନା ଜଣାଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।  ଏହାସହ ମୃତକଙ୍କ  ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ  ରାଶି ଘୋଷଣା କରିଛନ୍ତି  ।

ସେପଟେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ  ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ କମିସନର, ରାୟଗଡା ଓ କୋରାପୁଟ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  । ଅନ୍ୟପଟେ ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ରାଶି ଦିଆଯିବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତାହତଙ୍କୁ ସହାୟତା ରାଶି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.