Latest Odisha News

BREAKING NEWS

Naxals Lay Down Arms: ପୋଲିସ ନିକଟରେ ୨୮ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୮୯ଲକ୍ଷର ପୁରସ୍କାର

ରାୟପୁର:ଛତିଶଗଡ଼ ସରକାରଙ୍କ ନୂତନ ନକ୍ସଲ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ପୁଣି ଥରେ ଆତ୍ମସମର୍ପଣ କରିଛନ୍ତି ୨୮ ଜଣ ମାଓବାଦୀ । ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି (DSZC)ରେ ସକ୍ରିୟ ଥିଲେ । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୮୯ ଲକ୍ଷର ପୁରସ୍କାର ରାଶି ରହିଥିଲା । ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ।

ଗତକାଲି ଆତ୍ମସମର୍ପଣ କରିଥିବା ୨୮ ଜଣ ମାଓବାଦୀଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୯ ଜଣ ପୁରୁଷ ମାଓବାଦୀ ଅଛନ୍ତି। ସେମାନେ INSAS ରାଇଫଲ୍, SLR, .303 ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ପୋଲିସକୁ ହସ୍ତାନ୍ତର କରିଥିଲେ।

ମାଓବାଦୀମାନେ ଆତ୍ମସମର୍ପଣ କରିବା ସମୟରେ ବସ୍ତର ଆଇଜି ସୁନ୍ଦରରାଜ ପି ଏବଂ ନାରାୟଣପୁର ଏସପି ରବିନସନ୍ ଗୁଡିଆ ଉପସ୍ଥିତ ଥିଲେ।

ଚଳିତ ବର୍ଷ ମୋଟ ୨୮୭ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଗତ ବର୍ଷ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସଂଖ୍ୟା ମାତ୍ର ୧୬ ଥିଲା। ସରକାରଙ୍କ ଜନହିତକର ଯୋଜନା, ପୋଲିସର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର, ସୁରକ୍ଷା ବାହିନୀ ଉପରେ ଗ୍ରାମବାସୀଙ୍କ ବୃଦ୍ଧି ପାଉଥିବା ବିଶ୍ୱାସ, ଗ୍ରାମବାସୀଙ୍କ ସହ ନିରନ୍ତର ଯୋଗାଯୋଗ, ଏସବୁ ହେଉଛି ନକ୍ସଲବାଦୀମାନେ ଆତ୍ମସମର୍ପଣ କରିବାକୁ ଆଗେଇ ଆସିବାର କାରଣ । ଆମେ ଆଶା କରୁଛୁ ଯେ ସମଗ୍ର ଅଞ୍ଚଳ ଶୀଘ୍ର ନକ୍ସଲ ମୁକ୍ତ ହେବ । ଏପରି କହିଛନ୍ତି ନାରାୟଣପୁର ଏସପି ।

ଏଥିସହ ବସ୍ତର ଆଇଜି କହିଛନ୍ତି ଯେ, ସରକାରଙ୍କ ଆତ୍ମସମର୍ପଣ ନୀତି ବହୁତ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ଆମେ ଖୁବ୍ ଶୀଘ୍ର ନାରାୟଣପୁର ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିବୁ। ଅବଶିଷ୍ଟ ଥିବା ମାଓବାଦୀମାନଙ୍କୁ ଆମେ ଅସ୍ତ୍ର ରଖି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିବେଦନ କରୁଛୁ। କୁତୁଲ କ୍ଷେତ୍ର କମିଟିରେ ଥିବା ନକ୍ସଲବାଦୀମାନେ ଏବେ ସମାପ୍ତ ହେବା ଦ୍ୱାରରେ। ଆମେ ନକ୍ସଲବାଦରୁ ମୁକ୍ତି ଆଡକୁ ଅଗ୍ରସର ହେଉଛୁ। ଡିଭିସି ସଦସ୍ୟ ଏବଂ କ୍ୟାଡରଙ୍କ ଆତ୍ମସମର୍ପଣ ସହିତ, ଏହି ଅଞ୍ଚଳରେ ଶାନ୍ତି ଫେରୁଛି।

ସୂଚନାଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଛତିଶଗଡ଼ ସରକାର ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ମାଓବାଦର ନିରାକରଣ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛନ୍ତି।

 

 

 

Comments are closed.