Latest Odisha News

BREAKING NEWS

ଆଲମାରୀ ଅପେକ୍ଷା ଅଧିକ ଦାମରେ ବିକ୍ରି ହେଲା ଏହି ଶୁଖିଲା ପଚା ଲେମ୍ବୁ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ବେଳେ ଦେଖିବାକୁ ମିଳେ ଯେ, ଯେଉଁ ଜିନିଷକୁ ଲୋକେ ଅଦରକାରୀ ଭାବି ଫୋପାଡି ଦିଅନ୍ତି, ଭାବନ୍ତି ଯେ ଏହି ଜିନିଷକୁ କବାଡିଆ ଖାନାରେ ବି ବିକ୍ରି କରାଯାଇପାରିବ ନାହିଁ କିନ୍ତୁ ସେହି ଜିନିଷ ସମୟକ୍ରମେ ସମସ୍ତଙ୍କ ପାଇଁ ବହୁ ମୁଲ୍ୟର ହୋଇଯାଏ । ତା’ର ନିଲାମ ଏପରି କରାଯାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନିକଟରେ ଇଂଲଣ୍ଡରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଆଲମାରୀ ନିଲାମ କରାଯାଉଥିଲା | କିନ୍ତୁ କୌତୁହଳର ବିଷୟ ଏହା ଯେ, ଆଲମାରୀ ତୁଳନାରେ ସେଥିରେ ରଖାଯାଇଥିବା ଲେମ୍ବୁକୁ ସବୁଠୁ ଅଧିକ ଦାମରେ ନିଲାମ କରାଯାଇଥିଲା |

ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିବା ଏକ ନିଲାମ ପକ୍ରିୟା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର କାରଣ ହେଉଛି ଏକ ପୁରୁଣା ଏବଂ ଶୁଖିଲା ଲେମ୍ବୁର ନିଲାମ । ବାସ୍ତବରେ ଏହି ଲେମ୍ବୁ ୨୮୫ ବର୍ଷ ପୁରୁଣା ବୋଲି କୁହାଯାଉଛି | ଘର ସଫା କରିବା ସମୟରେ ପ୍ରାୟ ୨ ଇଞ୍ଚର ଏହି ଲେମ୍ବୁ ମିଳିଥିଲା । ବାସ୍ତବରେ, ଜଣେ ବ୍ୟକ୍ତି ଉନବିଂଶ ଶତାବ୍ଦିର ତାଙ୍କ ମାମୁଁଙ୍କ ଏକ ଆଲମାରୀ ସଫା କରୁଥିବା ବେଳେ ତା’ଭିତରେ ସେ ଏକ ଲେମ୍ବୁ ପାଇଥିଲେ । ତା’ପରେ ଯେତେବେଳେ ନିଲାମକାରୀ ଆଲମାରୀର ଫଟୋ ଉଠାଉଥିଲେ, ତାଙ୍କ ଆଖି ଏହି ଲେମ୍ବୁ ଉପରେ ପଡିଥିଲା ।  ଲେମ୍ବୁଟି ପୁରା ଶୁଖିଯାଇ କଳା ପଡିଯାଇଥିଲା । ଏପରିକି ଲେମ୍ବୁରେ କୌଣସି ରସ ବି ନଥିଲା । କିନ୍ତୁ ତା ଉପରେ ଥିବା କିଛି ବିଶେଷ ଲେଖା ପାଇଁ ସେ ଏତେ ଟଙ୍କାରେ ନିଲାମ ହୋଇଥିଲା ।

ତେବେ ଏହି ଲେମ୍ବୁ ଉପରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖାଯାଇଥିଲା | ଯାହା ‘ମିଷ୍ଟର୍ ପି ଲୁ ଫ୍ରାଞ୍ଚିନ୍’ଙ୍କ ଦ୍ଵାରା ନଭେମ୍ବର ୪, ୧୭୩୯ ରେ ପ୍ରଦାନ କରିଥିଲେ । ବିଶ୍ୱାସ କରାଯାଏ ଯେ ଏହି ଲେମ୍ବୁକୁ ଭାରତରୁ ଇଂଲଣ୍ଡକୁ ଏକ ରୋମାଣ୍ଟିକ ଉପହାର ରୂପେ ଅଣାଯାଇଥିବ । କିନ୍ତୁ ଆକଳନ କରାଯାଉଥିଲା ଯେ, ଉପହାରରେ ଆସିଥିବା ଏହି ଆଲମାରୀ ଅଧିକ ମୂଲ୍ୟରେ ନିଲାମ ହେବ ଏବଂ ଏହି ଲେମ୍ବୁଟି ୪୦୦୦ ରୁ ୬୦୦୦ ଟଙ୍କା ଭିତରେ ନିଲାମୀ ହେବ । କିନ୍ତୁ ଏବେ ସେହି ଆଲମାରୀକୁ ୩,୩୬୦ଟଙ୍କାରେ ନିଲାମ କରାଯାଇଥିବା ବେଳେ ତା’ଭିତରେ ଥିବା ସେହି ଲେମ୍ବୁକୁ ୧.୪୭ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି ।

Leave A Reply

Your email address will not be published.