Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ହଠାତ୍ ରୋହାନ୍ ଆଡ଼କୁ ବୁଲିପଡ଼ି, ବୀରା କହିଲା, “ମୁଁ ଦେଖିଥିବା ସେ ସ୍ୱପ୍ନଟି ସତ ହେଇଗଲା ନା !” ହତବାକ୍ ରୋହାନ୍ କ’ଣ କହିବ ହୋଇ କେବଳ ମୁଣ୍ଡ ହଲେଇଦେଲା । “ଆରେ ବୀରା, ତମ ଲାଇଫ୍ ଜ୍ୟାକେଟ୍‌ଟି ଠିକ୍ ଭାବରେ ବନ୍ଧା ହେଇନି । ମୁଁ ବାନ୍ଧି ଦେବି କି?” ରୋହାନ୍‌, ବୀରାର ଲାଇଫ୍ ଜ୍ୟାକେଟ୍‌ଟି ଠିକ୍ ଭାବରେ ବନ୍ଧା ହୋଇଥିବାର ଦେଖି ଜାଣୁଥିଲା ଯେ ସିଡ଼୍‌, ବୀରାର ଧ୍ୟାନ ହଟେଇବା ପାଇଁ ଏମିତି କିଛି କହୁଛି । ହଠାତ୍ କ’ଣ ଗୋଟେ ତଥ୍ୟ ପାଇଯାଇଥିବା ଭଳି ମୁହଁ ଉଠେଇ ବୀରା କହିଲା, “ସମୀରା ଦି’, ଜ୍ୟାକେଟ୍ ପିନ୍ଧିଛି ନା!”

ରୋହାନ୍‌କୁ ଜୋର୍‌ରେ ହଲେଇ ଦେଇ ଧୈର୍ଯ୍ୟହରା ହୋଇ ବୀରା ପଚାରୁଥାଏ । “ପିନ୍ଧିଛି? ମାନେ ତମେ କ’ଣ କହିବାକୁ ଚାହଁ ଯେ…” ସିଡ଼୍ କ’ଣ କହିଆସୁଥିଲା, କିନ୍ତୁ ରୋହାନ୍ ତାକୁ ନିଜ ଚାହାଣୀରେ ସତର୍କ କରିଦେବାପରେ ସେ ଅଟକିଗଲା । ବୀରାର ଏଭଳି ଅବସ୍ଥାରେ ତା’ ବାକ୍ୟର ବ୍ୟାକରଣଗତ ତ୍ରୁଟି ସଂଶୋଧନ କରିବାଟା ସିଡ଼୍ ପକ୍ଷରେ ସମ୍ବେଦନହୀନତାର ପରିଚୟ ହୋଇଥା’ନ୍ତା । ବୀରା ଯେହେତୁ କେବଳ ରୋହାନ୍ ଉପରେ ନିଜ ଦୃଷ୍ଟି ନିବଦ୍ଧ କରିଥିଲା, ତା’ ଉପରେ ସିଡ଼୍ କଥାର କୌଣସି ପ୍ରଭାବ ପଡ଼ିପାରି ନଥିଲା ।

ସତେ ଯେମିତି ସେ ଆଦୌ କିଛି ଶୁଣିପାରିନାହିଁ । ସେ ରୋହାନ୍‌କୁ ଚାହିଁ ପୁଣି ପଚାରିଲା, “କ’ଣ କିଛି କହୁନ ଯେ?” ତାକୁ ଆଁ କରି ଚାହିଁଥିବା ରୋହାନ୍ ଅପ୍ରସ୍ତୁତ ଭାବରେ ଚାହିଁଲା ।

“ହଁ ସେ ଯଦି ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବ, ତେବେ ସେ ବୁଡ଼ି ନଥିବ । ସେ ଭାସି ଉଠିବା ବେଳେ ପାଖାପାଖି ଥିବା କୋଉ ନା କୋଉ ଲାଇଫ୍‌ବୋଟ୍ ତା’ ଚିତ୍କାର ଶୁଣି ତାକୁ ଅବଶ୍ୟ ଉଦ୍ଧାର କରିଥିବେ ।” ବୀରା କହିଚାଲିଥିଲା ।

ଏ ପ୍ରକାରର ସମ୍ଭାବନାକୁ ରୋହାନ୍ ନିଜ ଭିତରେ ତର୍ଜମା କରିଚାଲିଥିଲା । ପ୍ରାୟ ପ୍ରତ୍ୟେକ ଲାଇଫ୍‌ବୋଟ୍‌କୁ ତଳକୁ ଅଣାଯାଇଥିବ ସତ, ମାତ୍ର ପାଣିର ପ୍ରଖର ସ୍ରୋତ ଏବଂ ଲାଇଫ୍‌ବୋଟ୍‌କୁ ତଳକୁ ଅଣାଯିବାର କୋଳାହଳ ଭିତରେ ସମୀରାର ଜୀବନ ରକ୍ଷା ପାଇଁ ଚିତ୍କାର କାହାକୁ କ’ଣ ଶୁଣାଯାଇଥିବ! ପାଣି ବି ଏତେ ଥଣ୍ଡା ଥିବ ଯେ ସେ ବରଫ ପାଣି ଭିତରେ ପନ୍ଦର ମିନିଟ୍ ବଞ୍ଚି ପାରିବା ବି ଅସମ୍ଭବ । ଦେହର ତାପମାତ୍ରା କମିଯାଇଥିବାରୁ ତାକୁ ହାଇପୋଥେମିଆ ହୋଇଯାଇଥିବ ଅବା ସେ କୋମା ଅବସ୍ଥାକୁ ଚାଲି ଯାଇଥିବ । କିନ୍ତୁ ବୀରାର ଆଶାକୁ ଧୂଳିସାତ୍ କରିବାକୁ ଚାହୁଁ ନଥିଲା ସେ । ତେଣୁ ମୁଣ୍ଡହଲାଇ ସେ ଉତ୍ତର ଦେଲା, “ହଁ, ହଁ, ୟା ବି ସମ୍ଭବ ହୋଇପାରେ ।”

କ୍ରମଶଃ

Leave A Reply

Your email address will not be published.