Latest Odisha News

କବିତା : ଗୋଟିଏ ପ୍ରାର୍ଥନା

ଗଦାଧର ସାହୁ 

ଚର୍ମ ଚକ୍ଷୁ ତୋର
ପବିତ୍ର ହୋଇବ
ଦାରୁ ଦିଅଁ ଦାଣ୍ଡେ ଦେଖି,
ଦଣ୍ଡେ କି ଘଡିଏ
ଯାହା ତୂ ଦେଖିବୁ
ପୂର୍ବ ପୁଣ୍ୟ ତୋର ସାକ୍ଷୀ ।

ତା ଦୟା ନହେଲେ
ତା ଡୋରି ନଲାଗେ
ଦେଖିବାତ ଦୂର କଥା,
ତାକୁ ନ ଦେଖିଲେ
ଆଖି ଥାଇ ଅନ୍ଧ
ଜନମ ହୋଇବା ବୃଥା ।

ଜନମ ପୂର୍ବରୁ
ମାତାର ଗର୍ଭରୁ
ଅହୋରାତ୍ର ଭଜୁଥିଲୁ,
ଜନମ ଲଭିଲୁ
ତାକୁ ଭୁଲିଗଲୁ
ମାୟା ମୋହରେ ପଡିଲୁ ।

ସେ ମାୟା ତୋ ପାଇଁ
କାଳ ହୋଇଗଲା
ତା ଦୟା ଦୂରେଇ ଗଲା,
ଆଖି ଥାଇ ତୋତେ
ଦିଅଁ ନଦିଶିଲା
ଏ ଜନମ ବୃଥା ହେଲା ।

ନଦିଶୁ ସେ ଦିଅଁ
ଏ ଚର୍ମ ଚକ୍ଷୁକୁ
ତା ଦଉଡି ଦିଅ ଛୁଇଁ,
ଦଉଡି ଛୁଇଁଲେ
ତୁ ତାକୁ ଛୁଇଁବୁ
ପୂର୍ବ ପୁଣ୍ୟ ବଳ ଏହି ।

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.