Latest Odisha News

BREAKING NEWS

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଓଡ଼ିଶୀ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନରର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳି କଳିଙ୍ଗ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ ଓଡ଼ିଶୀ ଓ ସମରକଳା ନୃତ୍ୟ ସଙ୍ଗୀତରେ ଥିଲା ଚଳଚଞ୍ଚଳ ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଶାନ୍ତି ମନ୍ତ୍ର । ନୃତ୍ୟ ମାଧ୍ୟମରେ ଶାସ୍ତ୍ରକୁ ଭେଦ କରି ନୃତ୍ୟରେ ସ୍ଥିରତା ବଜାଇ ରଖିବାର ମାଧ୍ୟମଥିଲା ଏହି ଶାନ୍ତି ମନ୍ତ୍ର ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଭିଜନ ଓ ମୁଭମେଣ୍ଡ ସେଣ୍ଟର କଲିକତାର ଶର୍ମିଲା ବିଶ୍ୱାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ତାଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ଆବାହନୀ – ଅନ୍ତଃ ଚେତନାର ଜାଗରଣକୁ ନେଇ ଏହା ପରିକଳ୍ପିତ ହେଉଥିଲା । ପରେ ପରେ ପରିବେଷିତ ହୋଇଥିଲା କଳାଶ୍ରୀ – ନୃତ୍ୟର ଆଦ୍ୟ ସାଧନା ଚଉକକୁ ନେଇ ଏହା ପରିବେଷିତ ହୋଇଥିଲା । ସେମାନଙ୍କର ଶେଷ ପ୍ରସ୍ତୁତିଟି ଥିଲା ମାୟା ମାନବ । ବିଚିତ୍ର ରାମାୟଣ ଆଧାରିତ ମାୟା ମିରିଗ ଓ ଶ୍ରୀରାମଙ୍କ ଶର ସନ୍ଧାନକୁ ନେଇ ପ୍ରସ୍ତୁତ ଥିଲା ଅଭିନୟ ମାୟା ମାନବ । ତାଙ୍କର ସମସ୍ତ ପ୍ରସ୍ତୁତିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଲା ବିଶ୍ୱାସ ।

ଦ୍ୱିତୀୟ ସଂଧ୍ୟାର ଶେଷ ପରିବେଷଣ ଥିଲା ବାଙ୍ଗାଲୋରରୁ ଆସିଥିବା ରଞ୍ଜନ ମୁଲାର୍ଟ ଓ ସାଥୀଙ୍କ ଦ୍ୱାରା ସମରକଳା ନୃତ୍ୟ କଲାରିପାଇଟୁ ଯେଉଁଥିରେ ଶିଳ୍ପୀମାନେ ବିଭିନ୍ନ ଶାରିରୀକ, ଅଙ୍ଗଭଙ୍ଗୀକୁ ନେଇ ସମରକଳା ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ଦକ୍ଷତା ଉନ୍ନୟନ ପ୍ରାଧିକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ, ଶ୍ରୀମତୀ ସୁଶ୍ମିତା ବାଗଚୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ; ପୂର୍ବତନ ଏୟାର ମାର୍ଶଲ ଶ୍ରୀଯୁକ୍ତ ଅଜିତ ଶଙ୍କର ରାଓ ଭୋନସଲେ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି । ଡ଼. ମୃତ୍ତ୍ୟଞ୍ଜୟ ରଥ ଏବଂ ଇତିଶ୍ରୀ ଦେବୀ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ।

Leave A Reply

Your email address will not be published.