ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ମୋଟ ୬୮ ଟି ବ୍ଲକରେ ୧୫୧୪ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି । ଏନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟ ରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତି ପୂର୍ଣ୍ଣଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆଜିର ନିର୍ବାଚନ ପରିସ୍ଥିତି ଉନ୍ନତି ପରିଲକ୍ଷିତ ହୋଇଛି ।ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟ ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୭୧ ପ୍ରତିଶତ ମତଦାନ ହୋଇଛି ।କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ କିଛି ବୁଥରେ ନିର୍ବାଚନ ପକ୍ରିୟା ବାଧାପ୍ରାପ୍ତ ହୋଇଛିା ଏହା ବ୍ୟତିତି ବାଲଟ ପେପର ତ୍ରୁଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ ।ଏ ସମ୍ପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ , ପୋଲିସ, କର୍ତ୍ତୁପକ୍ଷ ସମସ୍ତ ଜନ ସାଧାରଣ ତଥା ଭୋଟରମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନ ମାନଙ୍କରେ ମଧ୍ୟ କମିଶନ ଏହିପରି ସହଯୋଗ ଆଶା କରୁଛନ୍ତି ।
Comments are closed.