Latest Odisha News

BREAKING NEWS

ଆଜିଠାରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ‘ସୋଆ ସାହିତ୍ୟ ଉତ୍ସବ’

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକ ଓ ମଂଚ ବିଶେଷଜ୍ଞଙ୍କୁ ଯଥା:-ପ୍ରଖ୍ୟାତ କବି ଓ କଥାକାର ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍‌ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଅନନ୍ତ ମହାପାତ୍ରଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ।

ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ଅଧିବେଶନ ରହିଥିବା ଏହି ଉତ୍ସବରେ ଦାମୋଦର ଖାଡ୍‌ସେ, ଦାମୋଦର ମୌଜୋ, ଗିରିଶ କାଶରଭାଲି, ଲୀଲାଧର ମାଣ୍ଡଲୋଇ,ଶୋଭନା ନାରାୟଣ, ଯତୀନ ଦାସ, ସୁବୋଧ ସରକାର, ହରପ୍ରସାଦ ଦାସ, ମୃତ୍ୟୁଞ୍ଜୟ କୁମାର ସିଂହ, ପଲ୍ ଜାକାରିଆ, ପଙ୍କଜ ପରାଶର, ପ୍ରୀତି ସେନୟ, ପ୍ରଶାନ୍ତ ନନ୍ଦ, ପ୍ରବୋଧ ପାରିଖ, ସନ୍ତୋଷ ଚୌବେ, ଶରନ୍ କୁମାର ଲିମ୍ବାଲେ, ଅତୁଲ ତିୱାରି, ବଳରାମ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ସବ୍ୟସାଚୀ ମହାପାତ୍ର ଏବଂ ସୁଶାନ୍ତ ମଣି ଅଛନ୍ତି ପ୍ରମୁଖ ଯୋଗ ଦେବେ ।

ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମାଜତତ୍ୱବିତ୍ ଓ ସମାଲୋଚକ ଆଶିଷ ନନ୍ଦୀ, ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ୍ତ, ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ ଓ ସଚିବ ଶ୍ରୀ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ । ଏହି ଉତ୍ସବର ପ୍ରଥମ ଦିନରେ ପ୍ରଥିତଯଶା କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ।ସେହିପରି ନଭେମ୍ବର ୨୬ ତାରିଖରେ ଉଦ୍‌ଯାପନୀ ଉତ୍ସବରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକସୁରଜିତ ପତର ଏବଂ ସାହିତ୍ୟ ଏକାଡେମୀର ଉପସଭାପତି କୁମୁଦ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ), ଯାହାକି ଭାରତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରୁଛି, ପକ୍ଷରୁ ଆୟୋଜନ କରାଯାଇଛି ।

 

Leave A Reply

Your email address will not be published.