Latest Odisha News

BREAKING NEWS

୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୨୨ ହଜାର ସରକାରୀ ଚାକିରିଆ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଓଡିଶା ସରକାର ଚିହ୍ନଟ କରିଥିବା ନେଇ ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି, ଚଳିତ ବର୍ଷ ମେ’ ୨୯ ତାରିଖ ମଧ୍ୟରେ ପ୍ରାୟ ୫୧,୦୫,୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ପଞ୍ଜିକୃତ କରାଯାଇଥିଲା । ସେଥିମଧ୍ୟରୁ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି ।

ଯେଉଁଥିରୁ ପାଖାପାଖି ୧୨ ହଜାର ବଡ ଚାଷୀ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହୋଇଛନ୍ତି । ସମ୍ପୃକ୍ତ ଚାଷୀମାନଙ୍କୁ ଟଙ୍କା ଫେରସ୍ତ କରିବା ଲାଗି ପ୍ରବର୍ତ୍ତାଯିବ, ଯାହାଫଳରେ ସେମାନଙ୍କୁ ପିଏମ୍ କିସାନ ଯୋଜନାରେ ସାମିଲ କରାଯାଇପାରିବ ।

ଏହାବ୍ୟତିତ ୯ ହଜାର ବାଳକ ଓ ବାଳିକା ସହାୟତା ପାଇଛନ୍ତି ଏବଂ ଏହିସବୁ ପରିବାରର ମୁଖ୍ୟ ମଧ୍ୟ କାଳିଆ ଯୋଜନାରେ ସହାୟତା ରାଶି ପାଇଥିବା ଯୋଗୁଁ ପରବର୍ତ୍ତୀ କିସ୍ତିରେ ଏହାର ବ୍ୟବସ୍ଥିତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ମାନେ ବି ଏହି ଯୋଜନାରେ ଟଙ୍କା ପାଇଛନ୍ତି । ସେମାନଙ୍କୁ ସହାୟତା ରାଶି ଫେରସ୍ତ କରିବାକୁ କୁହାଯିବ, ସେଥିରେ କୌଣସି ପ୍ରକାର ବିଳମ୍ବ ହେଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କାଟି ନିଆଯିବ ।

ଏପରିକି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ସହାୟତା ରାଶି ପାଇଛନ୍ତି । ଯେଉଁମାନଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ରହିଛି । ଏଭଳି କ୍ଷେତ୍ରରେ ପରିବାରର ଜଣକୁ ଏହି ରାଶି ପ୍ରଦାନ କରାଯିବ ଏବଂ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ସହାୟତି ରାଶି ଫେରସ୍ତ ଲାଗି ଇଚ୍ଛୁକ ବ୍ୟକ୍ତିମାନେ ଭୁବନେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ରାଜ୍ୟ ସଚିବାଳୟ ଶାଖା, ଆକାଉଣ୍ଟ ନଂ ୩୮ରେ ଟ୍ରାନ୍ସଫର୍ କରିପାରିବେ କିମ୍ବା ‘ଭଲୁ୍ୟଣ୍ଟାରୀ ରିଫଣ୍ଡ୍ ଅଫ୍ କାଳିଆ ଆସିଷ୍ଟାନ୍ସ’ ଲେଖି ଚେକ୍ ମାଧ୍ୟମରେ ପଠାଇପାରିବେ । ଏଥିରେ ଆଇଏଫଏସସି କୋର୍ଡ ଉଲ୍ଲେଖ ରହିବା ଆବଶ୍ୟକ ।

Leave A Reply

Your email address will not be published.