ବ୍ରହ୍ମପୁର:ହସ୍ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ।
ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ବ୍ରହ୍ମପୁର ସହର ହର୍ସବିହାରରେ ରହୁଛନ୍ତି ‘ଓମ ଆରୋଗ୍ୟ ହସପିଟାଲ ଲିମିଟେଡ’ର ପରିଚାଳନା ନିର୍ଦେଶକ ଡା. ରମେଶଚନ୍ଦ୍ର ବାରତା। ସେ ଆଉ ଏକ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ ।
ଭାବା ନଗର ଠାରେ ଥିବା ଏକ ହସପିଟାଲ ତାଙ୍କ ନଜରକୁ ଆସିଥିଲା । ଉକ୍ତ ହସ୍ପିଟାଲ କୋଠା ସହ ଉପକରଣ ଏବଂ ଜମି କିଣିବା ପାଇଁ ସତ୍ବାଧିକାରୀ ତଥା ସ୍ପେସିମେନ ହୋଲଡିଂସ ଲିମିଟେଡ ନାମକ ଏକ କମ୍ପାନିର ନିର୍ଦେଶକ ସଂଗ୍ରାମ କେଶରୀ ମହାନ୍ତିଙ୍କ ସହ ୨୦୨୧ ମାର୍ଚ୍ଚ୧ ତାରିଖରେ ଚୁକ୍ତି ହୋଇଥିଲା ।
ଏ ବାବଦରେ ସଂଗ୍ରାମଙ୍କୁ ରମେଶ ୬ କୋଟି ୭ ଲକ୍ଷ ଟଙ୍କା ଦେବାକୁ ଚୁକ୍ତିରେ ଉଲ୍ଲେଖ ରହିଥିଲା । ଚୁକ୍ତି ପରେ ପରେ ରମେଶ ୩ କୋଟି ୪୩ ଲକ୍ଷ ଟଙ୍କା ସଂଗ୍ରାମଙ୍କୁ ଦେଇଥିଲେ ।
ତେବେ ତା’ ପରେ କରୋନାର ଦ୍ବିତୀୟ ଲହର ଆସିଯାଇଥିଲା । ସେଥିରେ ରମେଶଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ପରିବାରର ଅନେକ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏଣୁ ହସ୍ପିଟାଲ୍କୁ ରମେଶ ନିଜ ଅକ୍ତିଆରକୁ ନେଇପାରିନଥିଲେ ।
ଅଗଷ୍ଟ ୬ ତାରିଖରେ ରମେଶ ଭାବାନଗର ସ୍ଥିତ ଉକ୍ତ ହସ୍ପିଟାଲକୁ ଯାଇଥିଲେ । ସେଠାରେ କେବଳ କୋଠା ଥିବା ବେଳେ ଅନ୍ୟ କୌଣସି ପ୍ରକାର ମେଡ଼ିକାଲ ଯନ୍ତ୍ରପ୍ରତି ନଥିଲା । ଏସବୁ ଦେଖି ରମେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଂଗ୍ରାମଙ୍କୁ ଏବିଷୟରେ ପଚାରିଥିଲେ ।
କିନ୍ତୁ ଓଲଟି ସଂଗ୍ରାମ ତାଙ୍କର କେତେକ ସହଯୋଗୀଙ୍କୁ ନେଇ ରମେଶଙ୍କ ସହ ଯୁକ୍ତିତର୍କ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏପରିକି ଉକ୍ତ ମେଡ଼ିକାଲକୁ ଅନ୍ୟ ଜଣଙ୍କୁ ମାସିକ ଏକ ଲକ୍ଷ ୨୦ ହଜାର ଟଙ୍କାରେ ୫ ବର୍ଷ ପାଇଁ ଲିଜ୍ରେ ଦିଆଯାଇଥିବା ସଂଗ୍ରାମ କହିଥିଲେ । ଏହାକୁ ନେଇ ରମେଶ ଉତ୍କ୍ଷୀପ୍ତ ହୋଇଯାଇଥିଲେ ।
ରମେଶ ବ୍ୟାଙ୍କରୁ ଋଣରେ ଟଙ୍କା ଆଣି ସଂଗ୍ରାମକୁ ଦେଇଥିଲେ । ଅଭିଯୁକ୍ତମାନେ ରମେଶଙ୍କୁ ବିକ୍ରି କରିବା ପରେ ମେଡ଼ିକାଲର କାଗଜପତ୍ର ଜାଲିଆତି କରି ଅନ୍ୟ ଜଣଙ୍କୁ ଲିଜ୍ରେ ଦେଇଥିବା ନେଇ ରମେଶ ଜାଣିପାରିଥିଲେ ।
ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଥାନାରେ କେସ୍ ନଂ ୧୮୫/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି
Comments are closed.