Latest Odisha News

BREAKING NEWS

ଲୁଟ ଅଭିଯୋଗରେ ତିନି ଗିରଫ, କବାଟ ବନ୍ଦ ଥିଲେ ଟାର୍ଗେଟ କରନ୍ତି

ଭୁବନେଶ୍ୱର: ରାଜଧାନୀରୁ ତିନି ଲୁଟେରା ଗିରଫ । ସୋମବାର ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସୋମବାର ଭୁବନେଶ୍ୱରରେ ସକ୍ରିୟ ଥିବା ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ପରେ ସହରରେ ଅନ୍ୟ ଡକାୟତି ଓ ଅପରାଧରେ ଏମାନଙ୍କର ସମ୍ପୃକ୍ତ ଥିବା ପୁଲିସ ଦାବି କରିଛି।

କ୍ୟାପିଟାଲ ଥାନା ଓ ନୟାପଲ୍ଲୀ ଥାନା ଅଧିନରେ ଥିବା ଅଧିକାଂଶ ସ୍ଥାନ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ନାୟକ ଓରଫ ପପୁ (୩୫), କାହ୍ନା ପ୍ରଧାନ ଓରଫ ପିଙ୍କୁ (୨୦) ଓ ଦିଲ୍ଲୀପ ବିଶୋଇ ଓରଫ ଦିଲୁ (୩୦)।

ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଦୁଇ ଚକିଆ ଗାଡି, ଗୋଟିଏ ଲାପଟପ, ୪୦ ଗ୍ରାମ ସୁନା, ୮୦ ଗ୍ରାମ ରୂପା, ୨ଟି ଟିଭି, ମୋବାଇଲ ଫୋନ, ଟ୍ୟାବ, କିଛି ଇଲେକ୍ଟ୍ରୋନିକ୍ସ ଉପକରଣ, ଗ୍ୟାସ କଟର ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି।

ଘରର ମୁରବି ବାହାରକୁ ବାଲିବାକୁ ଚାଲିଗଲେ ଏହି ଗ୍ୟାଙ୍ଗ୍ ବନ୍ଦ ଘରକୁ ଟାର୍ଗେଟ୍ କରୁଥିଲେ। ଲୁଟେରାମାନେ ଝରକା ଭାଙ୍ଗି ଲୁହା ରେଲିଂ କାଟି ଘର ଭିତରକୁ ପ୍ରବେଶ କରୁଥିବାର ପ୍ରମାଣ ରହିଛି। ଦୁଇଟି ଡକାୟତି ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଥିବା ଡିସିପି ସୂଚନା ଦେଇଛନ୍ତି।

ନିକଟରେ ବିଧାନସଭା ଏଏସଓ ପ୍ରଣବ ପଣ୍ଡାଙ୍କ ୟୁନିଟ ସିକ୍ସ ଆଇଭିଆର 219 ଘରୁ ଲୁଟ ହୋଇଥିଲା। ରଥଯାତ୍ରା ଦେଖିବାକୁ ସପରିବାର ଯାଇଥିବା ବେଳେ ଲୁଟେରା ଘରେ କଳାକନା ବୁଲାଇ ଦେଇଥିଲେ। ଥାନାରେ ଏତଲା ପରେ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରିଥିଲା। ଏବେ ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଥିବା ଅଧିକାଂଶ ଜିନିଷ ପ୍ରଣବ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ରହିଛି।

Comments are closed.