Latest Odisha News

BREAKING NEWS

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା । ଫଳରେ ତଳିଆ ଅଞ୍ଚଳରେ ଥିବା ସ୍କୁଲକୁ ଆଜି ବି ବନ୍ଦ ରଖାଯାଇଛି । ବନ୍ୟାଜଳ ତିଳକମାର୍ଗରେ ଥିବା ସୁପ୍ରିମକୋର୍ଟ ଓ ରାଜଘାଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ବି ସେଠାରୁ ପାଣି ଛାଡି ନ ଥିବା ଜଣାଯାଇଛି । ଫଳରେ ଯାତାୟାତ ସମସ୍ୟା ଦେଖାଦେଇଛି ।
ମିିଳିଥିବା ସୂଚନା ଅନୁସାରେ, ଉ୍‌ତର ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ନିକଟରେ ଶୁକ୍ରବାର ବନ୍ୟା ଜଳରେ ଗାଧୋଉଥିବାବେଳେ ୩ ଜଣ ନାବାଳକ ଭାସି ଯାଇଛନ୍ତି । ଗତକାଲି ଅପରାହ୍ନ ୩ଟାବେଳେ ଏହି ଦୁର୍ଘଟଣା ଘଟିଛି । ପିଲାମାନେ ନିକଟରେ ଥିବା ବନ୍ୟାପାଣିରେ ଗାଧୋଇବା ପାଇଁ ଡେଇଁ ପଡିଥିବାବେଳେ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ହେଲେ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା । ଏହି ନାବାନଳଙ୍କ ବୟସ ୧୦ରୁ ୧୩ ବର୍ଷ ମଧ୍ୟରେ ।

ଏଠାରେ ବର୍ଷା ଲାଗି ରହିଥିବାରୁ ଏବଂ ହଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛାଡି ଦିଆଯିବାରୁ ଯମୁନାର ଜଳସ୍ତର ବଢିବାରେ ଲାଗିଛି । ଦିଲ୍ଲୀ ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ତଳିଆ ଅଞ୍ଚଳରେ ଥିବା ପ୍ରାୟ ୧୬ ହଜାର ୫୬୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୧୪ ହଜାର ୫୩୪ ଲୋକଙ୍କୁ ଟେଣ୍ଡ ଏବଂ ଆଶ୍ରୟସ୍ଥଳରେ ରଖାଯାଇଛି । ବନ୍ୟାଜଳ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ସେଣ୍ଟ୍ରାଲ ୱାଟର କମିଶନକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.