Latest Odisha News

BREAKING NEWS

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ । ଏଥିସହ ଠିକାଦାରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡା ଜ୍ୟୋତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ।

‘ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହିତ  ଅନ୍ୟ ତିନିଜଣ ଯନ୍ତୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।’  କହିଛନ୍ତି ଜିଲ୍ଲାପାଳ ସ୍ୱଧା ଦେବ ସିଂ ।  ଗତକାଲି ଗ୍ରାମ୍ୟ ନିର୍ମାଣ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ରାୟଗଡ଼ା ବିଧାୟକ ଉଦବେଗ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ସହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଲଗାଣ ବର୍ଷାରେ ଗତକାଲି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଉପରସଜା ଗାଁରେ ନିର୍ମାଣଧୀନ କଲଭର୍ଟ ଭୁଶୁଡି ପଡ଼ିଥିଲା  । ଫଳରେ କଲଭର୍ଟ ତଳେ ଗାଧାଉଥିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ସମେତ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା  । ଘଟଣାସ୍ଥଳରେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜଗନ୍ନାଥ ସାରକା ଏବଂ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ଘଟଣାସ୍ଥଳରେ କଲ୍ୟାଣସିଂପୁର ବିଡ଼ିଓ ସୁନୀଲ ଖରା, ଥାନା ଅଧିକାରୀ ସୁମତି ମହାନ୍ତି, ତହସିଲଦାର ସୁଧାକର ରୋଇତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି  ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲେ  ।

ମିଳିଥିବା ସୂଚନା ଅନୁସାରେ, ଜାପିଙ୍ଗ ନାଳ ଉପରେ ଗତ ୩ମାସ ହେଲା ଆରଡି ବିଭାଗ ତରଫରୁ ଏକ କଲଭର୍ଟ ନିର୍ମାଣ କରାଯାଉଥିଲା ।  ତେବେ ଗତ ଦୁଇ ଦିନ ଧରି ଅଂଚଳରେ ଲଗାଣ ବର୍ଷା ହେଉଥିବା ବେଳେ ଉପର ସାଜା ଗ୍ରାମର ୫୦ବର୍ଷୀୟ ଲକ୍ଷ୍ମୀଧର ମିନିୟାକ ନିଜ ୫ବର୍ଷର ପୁଅ ପ୍ରିନ୍ସକୁ ଧରି ସେଠାକୁ  ଗାଧୋଇବାକୁ ଯାଇଥିଲେ ।  ତାଙ୍କ ସହ  ଗ୍ରାମର ରାଜୁ ମିନିୟାକାଙ୍କ ୮ବର୍ଷର ପୁଅ ଚରଣ ଓ ସୁମନ,  ରମେଶ କୁଲେସିକାଙ୍କ ୫ବର୍ଷର ପୁଅ ମନୋଜ,  ଏଲିଗା ମିନିୟକାଙ୍କ ୬ବର୍ଷର ପୁଅ ଅନେଶ ମଧ୍ୟ ଗାଧୋଇବାକୁ ଯାଇଥିଲେ  । ଜାପିଙ୍ଗ ନାଳ ପ୍ରଖର ସ୍ରୋତରେ ସମସ୍ତେ ଗାଧେଇବା ବେଳେ ହଠାତ ନିର୍ମାଣଧୀନ କଲଭର୍ଟର ତଳେ ଦିଆଯାଇଥିବା ସେଣ୍ଟ୍ରିଙ୍ଗ କାଠ ଗୁଡିକ ଭୁଶୁଡି ପଡି ସମସ୍ତଙ୍କ ଉପରେ ପଡିଯାଇଥିଲା  ।

ଘଟଣା ସ୍ଥଳରେ ଲକ୍ଷ୍ମୀଧରଙ୍କ ସମେତ ପ୍ରିନ୍ସ,, ଚରଣ, ସୁମନ, ମନୋଜଙ୍କ ମୃତ୍ୟୁ ଘଟି ଥିବା ବେଳେ ସାମାନ୍ୟ ଆହତ ହୋଇ ଅନେଶ ବର୍ତ୍ତୀ ଯାଇଥିଲେ   ।  ଉପର ସାଜା ଗ୍ରାମରେ ଘଟିଥିବା ଏଭଳି ଅଭାବନୀୟ ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.