Latest Odisha News

ଭୂତ କୋଠି ପାଲଟିଛି ସରକାରୀ କୋଠା, କେବେ ହେବ କାର୍ଯ୍ୟକ୍ଷମ ?

ଖଡ଼ିଆଳ: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ସରକାରୀ ଟଙ୍କା ବ୍ୟୟବରାଦ କରି କାର୍ଯ୍ୟାଳୟ, ଷ୍ଟାପ କ୍ବାଟର ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସରକାରୀ କାମରେ ଆସି ଯୋଜନାର ସଫଳ କାର୍ଯ୍ୟ ହୋଇଥାଏ । ହେଲେ ଖଡ଼ିଆଳ ଏନଏସି ଅନ୍ତର୍ଗତ ବିଜେପୁର ଗାଁ ଗାନ୍ଧୀନଗର ସାହିରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆୟୁର୍ବେଦିକ ଡାକ୍ତରଖାନା ସହ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି । କିନ୍ତୁ ନିର୍ମାଣ ପରେ ଘର ବ୍ୟବହାର ନ ହେବାରୁ ବିଲ୍ଡିଂ ଗୁଡିକ ବର୍ତ୍ତମାନ ଅବସ୍ଥାରେ ଭୂତ କୋଠିରେ ପରିଣତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟଯେ,  ଜନସ୍ଵାସ୍ଥ୍ୟ ବିଭାଗର ମେଗା ପ୍ରୋଜେକ୍ଟରେ ମୁଖ୍ୟ କାର୍ଯ୍ୟାଳୟ ୨୦୧୯ରେ ଗାନ୍ଧିନଗର ସାହିରେ ନିର୍ମାଣ କାମ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଛି। ନିର୍ମାଣର ୩ ବର୍ଷ ବିତିଗଲାଣି ହେଲେ ଏଯାଏ ଉଦ୍‌ଘାଟନ ହୋଇନାହିଁ। ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ନୂଆପଡା ଜନସ୍ଵାସ୍ଥ୍ୟ ବିଭାଗରେ ବିଳୀନ ହୋଇଯିବାରୁ ମେଗା ପ୍ରୋଜେକ୍ଟ ବିଲ୍ଡିଂର କୌଣସି କାର୍ଯ୍ୟକାରୀ ହୋଇପାରୁ ନ ଥିବା ଜଣାପଡିଛି। ଏହି ମେଗା ପ୍ରୋଜେକ୍ଟ ଅଫିସରେ ଖଡିଆଳ ବ୍ଲକ କାର୍ଯ୍ୟାଳୟ ଓ ପରବର୍ତ୍ତି ସମୟରେ ଏନ୍‌ଏସି କାର୍ଯ୍ୟାଳୟ ପରିଚାଳନା ପାଇଁ ସ୍ଥିର ହୋଇଥିଲା। ହେଲେ କିଛି ଅସାଧୁ ନେତା ତଥା ଲୋକଙ୍କ ଜାତିଆଣ ମନୋଭାବ ଯୋଗୁ କୌଣସି ସରକାରୀ ଅଫିସ ପରିଚାଳିତ ହୋଇ ପାରି ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ତେବେ କେବଳ ଜନସ୍ଵାସ୍ଥ୍ୟ ବିଭାଗର ମେଗା ପ୍ରୋଜେକ୍ଟ ଅଫିସ ନୁହଁ। ଗାନ୍ଧୀନଗର ସାହିରେ ଏକ ସରକାରୀ ଆୟୁବେର୍ଦିକ ହସ୍ପିଟାଲ ଅଛି। ହେଲେ ଗୃହ ଅଭାବରୁ ତାହା ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ସେହିଭଳି ଗ୍ରାମରେ ଥିବା ମିଶନ ଶକ୍ତି ବିଲଡିଂ କାମ ଶେଷ ହୋଇଥିଲେ ମଧ୍ୟ ତାହା ପରିଚାଳନା ହୋଇ ପାରୁନାହିଁ। ପାଖରେ ଥିବା ଏଏନଏମ କେନ୍ଦ୍ର ଅମ୍ବେଦକର ସରକାରୀ ସ୍କୁଲ ମଧ୍ୟ ପରିଚାଳିତ ହେଉ ନ ଥିବାରୁ ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟ ସମେତ ସବୁ କୋଠାଘର ସବୁ ଅସାମାଜିକ ଲୋକଙ୍କ ଚରା ଭୁଇଁ ପାଲଟି ଯାଇଛି। ସରକାରୀ ବିଲଡିଂରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

ନିର୍ମାଣ ହୋଇଥିବା ସରକାରୀ ଗୃହରେ ଯେ କୌଣସି ସରକାରୀ ଅଫିସ ପରିଚାଳନା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ସ୍ଥାନୀୟ କାଉନସିଲର ମଧ୍ୟ ଅତିଶୀଘ୍ର କୋଠା ସବୁ କାର୍ଯ୍ୟକ୍ଷମ କରବାକୁ ଦାବି କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରଶାସନର ଯେତେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଜନସାଧାରଣଙ୍କ କାର୍ଯ୍ୟକୁ ଆସିବା ପରି ସୁବିଧା କରାଯିବ ବୋଲି କହିଛନ୍ତି।

 

Comments are closed.