Latest Odisha News

BREAKING NEWS

ଇସ୍ରାଏଲରେ ନିଯୁକ୍ତି ପାଇଁ ନକଲି ସାକ୍ଷାତକାର, ୩ ଗିରଫ

ଭୁବନେଶ୍ୱର: ଇସ୍ରାଏଲରେ ନିଯୁକ୍ତି ଦେବା ପାଇଁ ଭୁବନେଶ୍ୱରର ଖାରବେଳ ଥାନା ଅନ୍ତର୍ଗତ ଏକ ହୋଟେଲରେ ନକଲି ସାକ୍ଷାତକାର କରିବା ଅଭିଯୋଗରେ କମିଶନରେଟ ପୋଲିସ ସୋମବାର ଦିନ ତିନି ଜଣଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ବ୍ୟକ୍ତିମାନେ ବାବୁଲାହରି ଗୌଡା (୪୨), ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଏବଂ କିରଣ ଶଶିକାନ୍ତ ଘୁମରେ (୫୧) ବୋଲି ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଣ୍ଡରା ଗ୍ରାମର ବାସିନ୍ଦା ବାବୁଲାହର ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ଦୁଇ ସହଯୋଗୀ ମୁମ୍ବାଇର ମୂଳ ବାସିନ୍ଦା ବୋଲି ଜଣାପଡିଛି।

ଭୁବନେଶ୍ୱରର ପ୍ରବାସୀ ପ୍ରୋଟେକ୍ଟର ସୁନୀଲ କୁମାର ସାହଙ୍କ ଅଭିଯୋଗ ଆଧାରରେ ଏପ୍ରିଲ ୨୦ରେ ସେମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା।

ତେବେ ପୋଲିସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମାନେ ସୋସିଆଲ ମିଡିଆରେ ବ୍ୟାପକ ଭାବରେ ନକଲି ବିଜ୍ଞାପନ ପ୍ରସାରଣ କରିଥିଲେ। ଚାକିରି ଖୋଜୁଥିବା ଲୋକଙ୍କୁ ଭ୍ରମିତ କରିବା ପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସରକାରୀ ବିଜ୍ଞପ୍ତି ସଦୃଶ ନକଲି କାଗଜପତ୍ର ବ୍ୟବହାର କରିଥିଲେ। ସେମାନେ ଆଗୁଆ ୫,୦୦୦ ଟଙ୍କା ସଂଗ୍ରହ କରୁଥିଲେ ଏବଂ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ଅଫର ଲେଟର ଦେବା ପରେ ସେମାନଙ୍କ ଠାରୁ ଆଉ ୭୦,୦୦୦ ଟଙ୍କା ନେଉଥିଲେ।

ଯେତେବେଳେ କି ଅଭିଯୁକ୍ତମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟ କିମ୍ବା କୌଣସି ପଞ୍ଜିକୃତ ନିଯୁକ୍ତି ସଂସ୍ଥା ଦ୍ୱାରା କୌଣସି ପ୍ରକାର ଅଧିକାର ଦିଆଯାଇନଥିଲା। ଅପରପକ୍ଷେ ସେମାନଙ୍କଠାରୁ ଅନେକ ପ୍ରାର୍ଥୀଙ୍କ ରିଜ୍ୟୁମ୍, ଜାଲ୍ ଡକ୍ୟୁମେଣ୍ଟ ଏବଂ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Comments are closed.