Latest Odisha News

BREAKING NEWS

ବ୍ରହ୍ମପୁରର ୩ଟି ହୋଟେଲ ସିଲ୍‌‌ ସହ ୧୨ଟି ପ୍ରତିଷ୍ଠାନରୁ ୯୨ହଜାର ଜରିମାନା ଆଦାୟ

ବ୍ରହ୍ମପୁର: ବ୍ରହ୍ମପୁରର ସହରର ଜଣାଶୁଣା ହୋଟେଲ୍‌‌ ଏବଂ ଅଳଙ୍କାର ଦୋକାନ ଉପରେ ବୁଧବାର ବଡ଼ ଧରଣର ଚଢ଼ଉ ହୋଇଛି। ଏଥିରୁ ୨ଟି ହୋଟେଲକୁ ସିଲ୍‌‌ କରିଦିଆଯିବା ସହିତ ମୋଟ ୧୨ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୯୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଖାଦ୍ୟରେ ରସାୟନିକ ରଙ୍ଗ ମିଶ୍ରଣ, ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଏବଂ ପାର୍କିଂ ନିୟମ ସହିତ ଅନ୍ୟାନ୍ୟ ନିୟମ ଉଲଂଘନ ଅଭିଯୋଗରେ ଏହି ଚଢ଼ଉ ହୋଇଥିଲା। ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ କୁଲକର୍ଣ୍ଣୀ ଆଶୁତୋଷ ସି ଚଢ଼ଉର ନେତୃତ୍ୱ ନେଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ଶ୍ରମ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସିଟି ହାଇସ୍କୁଲ ରୋଡରେ ଥିବା କିରନ ରେଷ୍ଟୁରାଣ୍ଟ ଏବଂ ପିଣ୍ଟୁ କିଚେନକୁ ସିଲ୍‌‌ କରାଯାଇଛି। ଧର୍ମନଗରରେ ଥିବା ଗିରିଜା ରେଷ୍ଟୁରାଣ୍ଟକୁ ସିଲ୍‌‌ସହିତ ୧୨ ହଜାର ଟଙ୍କା ଜରିମାନା ପକାଯାଇଛି। ସେହିଭଳି ପୁରୁଣା ବସଷ୍ଟାଣ୍ଡରେ ଥିବା ନନ୍ଦନ ଇଣ୍ଟରନ୍ୟାସନାଲ ହୋଟଲକୁ ୧୦ ହଜାର ଟଙ୍କା, ବଡ଼ବଜାରରେ ଥିବା ସାହୁ ସୁଇଟ୍‌‌ସକୁ ୮ ହଜାର ଟଙ୍କା, ବଡ଼ବଜାର ଛକରେ ଥିବା ବାଲାଜୀ ମିଷ୍ଟାନ୍ନ ଭଣ୍ଡାରକୁ ୮ ହଜାର ଟଙ୍କା, ଭାପୁର ବଜାରରେ ଥିବା ହିନ୍ଦୁସ୍ତାନ କେକେରୀକୁ ୫ ହଜାର ଟଙ୍କା, କର୍ପୋରେସନ ରୋଡରେ ଥିବା ୧୫ ହଜାର ଟଙ୍କା, ପାର୍କ ସାହିରେ ଥିବା ହାଇଦ୍ରାବାଦ ବିରିୟାନୀକୁ ୧୪ ହଜାର ଟଙ୍କା ଏବଂ ବମ୍ବେ କିଚେନକୁ ୨୦ ହଜାର ଟଙ୍କାର ଜରିମାନା ପକାଯାଇଛି। ସେହିଭଳି ସିଟି ହାଇସ୍କୁଲ ରୋଡରେ ଥିବା ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଠାରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯାଇଥିଲା।
ବ୍ରହ୍ମପୁର ସହର କେବଳ ଓଡ଼ିଶା ନୁହଁ, ଓଡ଼ିଶା ବାହାରେ ମଧ୍ୟ ସୁସ୍ୱାଦ ଖାଦ୍ୟ ପାଇଁ ପ୍ରସିଦ୍ଧ। ବୁଧବାର ଯେଉଁ ସବୁ ହୋଟେଲରେ ଚଢ଼ଉ ହୋଇଛି, ପ୍ରାୟତଃ ସମସ୍ତ ହୋଟେଲର ନିଜସ୍ୱ ପରିଚୟ ରହିଛି। ଅନେକ ବର୍ଷ ହେଲା ଏମାନେ ଖାଦ୍ୟ ବ୍ୟବସାୟରେ ସକ୍ରୀୟ ରହିଥିଲେ। ଏଣୁ ଜଣାଶୁଣା ହୋଟେଲଗୁଡ଼ିକରେ ଅତର୍କିତ ଚଢ଼ଉକୁ ନେଇ ସହରବାସୀ ସ୍ୱାଗତ କରିଛନ୍ତି। ଅନ୍ୟପଟେ ଅପମିଶ୍ରଣ, ରସାୟନିକ ରଙ୍ଗର ବ୍ୟବହାର ନେଇ ହୋଟେଲଗୁଡ଼ିକ ଉପରେ ଚଢ଼ଉ ଜାରି ରହିବ ବୋଲି ବିଏମସି ଆୟୁକ୍ତ ଜେ.ସୋନାଲ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.