Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାଇଶି ପାହାଚରେ ପାଦ ଦେଉ ଦେଉ ଶ୍ରଦ୍ଧାଳୁଟିଏ ଆତ୍ମ ବିଭୋର ହେଉଛି ତାର ଆରାଧ୍ୟଙ୍କ ଦର୍ଶନ ଚିନ୍ତାରେ। ସେତେବେଳେ ସେ ପାର୍ଥିବ ବାଇଶି ପାହାଚକୁ ଅଣଦେଖା କରି ନିଜ ଛାତିକୁ ବାଇଶି ପାହାଚ କରି ଦେଇଛି। କବି କଳ୍ପନାରେ ଗାଉଛି ।

“ଛାତିକୁ କରିଛି ବାଇଶି ପାହାଚ,
ନୟନ ମୋ ସିଂହଦ୍ୱାର
ରସନା ମୋହର ଆନନ୍ଦ ବଜାର
ହସ ମୋର ଫୁଲ ହାର
ପ୍ରାଣକୁ କରିଛି ତୁମ ନୈବେଦ୍ୟ
ଅଶ୍ରୁ ମୋର ପୂଜା ଜଳ ।”

କିନ୍ତୁ ତତ୍ତ୍ୱ ଅନୁସନ୍ଧାନ କରି ଆମେ ଆଲୋଚନା କରିଥିଲେ ଦୁଇଟି ତତ୍ତ୍ୱ । ଗୋଟିଏ ଚଉଦ ଭୁବନ +ଅଷ୍ଟ ବୈକୁଣ୍ଠ (ଶେଷଶାୟୀ ବୈକୁଣ୍ଠ ଓ ପୂର୍ବରୁ ବର୍ଣ୍ଣିତ ସାତ ବୈକୁଣ୍ଠ )ଅନ୍ୟଟି ଶ୍ରୀମଦ ଭାଗବତର ଦ୍ୱାଦଶ ସ୍କନ୍ଦ +ଦଶ ତତ୍ତ୍ୱ । ସେହିଭଳି କେହି ଗବେଷକ କହନ୍ତି ବାଇଶି ପାହାଚ ହେଲେ ଅଷ୍ଟାଦଶ ମହାପୁରଣ (ବ୍ୟାସ କୃତ )+ଚାରି ବେଦ ଅର୍ଥାତ ମତ୍ସ୍ୟପୁରାଣ, ମାର୍କଣ୍ଡେୟ ପୁରାଣ, ଭବିଷ୍ୟ ପୁରାଣ, ଭାଗବତ ମହାପୁରଣ, ବ୍ରହ୍ମ ପୁରାଣ, ବ୍ରହ୍ମlଣ୍ଡ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ବିଷ୍ଣୁ ପୁରାଣ, ବାୟୁ ପୁରାଣ, ବାମନ ପୁରାଣ, ବରାହ ପୁରାଣ, ଅଗ୍ନି ପୁରାଣ ନାରଦୀୟ ପୁରାଣ, ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ଗରୁଡ଼ ପୁରାଣ, କୂର୍ମ ପୁରାଣ ଓ ସ୍କନ୍ଦ ପୁରାଣ ପ୍ରଭୃତି ଅଠର ଗୋଟି ମହାପୁରଣ ସହ ଚାରି ବେଦରେ ପ୍ରତିପାଦିତ ପରଂବ୍ରହ୍ମଙ୍କ ଦର୍ଶନ ବା ଚେତନା । ଏହାଠାରୁ ଆଉ ଅଧିକ କଣ କୁହାଯାଇ ପାରିବ ? ତଥାପି ବ୍ରହ୍ମ ଜ୍ଞାନୀମାନେ କହିଥାନ୍ତି ଏହି ବାଇଶି ପାହାଚ ପଞ୍ଚ ଜ୍ଞାନେନ୍ଦ୍ରୀୟ (ଶ୍ରୋତ୍ର, ଚକ୍ଷୁ, ଘ୍ରାଣ, ତ୍ବକ ଓ ରସନା )+ପଞ୍ଚ କର୍ମେନ୍ଦ୍ରୀୟ (ବାକ, ପାଣି, ପାଦ, ପାୟୁ ଓ ଉପସ୍ଥ)+ପଞ୍ଚତନ୍ମlତ୍ରା (ଶବ୍ଦ, ରୂପ, ଗନ୍ଧ, ସ୍ପର୍ଶ, ଓ ରସ )+ଷଢ଼ରିପୁ ଅର୍ଥାତ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମlତ୍ସଯ୍ୟ ସହ ଏହାକୁ ଧାରଣ କରୁଥିବା ମନ ମିଶି ହୁଏ ବାଇଶି ପାହାଚର ପ୍ରତୀକ। ଏହାକୁ ଟିକିଏ ଅନ୍ୟ ଭାବରେ କେହି କେହି ଉପସ୍ଥାପନା କରନ୍ତି ଯଥା, ପାଞ୍ଚମନ, ପଞ୍ଚତତ୍ତ୍ୱ, ପଞ୍ଚଜ୍ଞାନେନ୍ଦ୍ରୀୟ ଓ ସପ୍ତ ବିକାର ମିଶି ବାଇଶି ପାହାଚର ପ୍ରତୀକ ହୁଅନ୍ତି। ଏଠାରେ ପଞ୍ଚମନ ହେଲା (ମନ, ଅମନ, କୁମନ, ବିମନ ଓ ସୁମନ )ସେହିପରି ପଞ୍ଚତତ୍ତ୍ୱ ହେଲେ (ଗୁରୁତତ୍ତ୍ୱ, ମନ୍ତ୍ରତତ୍ତ୍ୱ, ମନସ୍ତତ୍ୱ, ଦେବତତ୍ୱ ଓ ଧ୍ୟ୍ୟନତତ୍ତ୍ୱ )
ସପ୍ତବିକାର ହେଲେ (କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଘୃଣା ଓ ଇର୍ଷା )। ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହି ବାଇଶି ପାହାଚ ଅତିକ୍ରମ କରୁ କରୁ ଏଭଳି ଅନେକ ମତ ଓ ତତ୍ତ୍ୱ ନିଶ୍ଚୟ ଆସିବ କାରଣ ସର୍ବଧର୍ମ, ସର୍ବ ଦର୍ଶନର ଦେବତା କଣ ଗୋଟିଏ ବା ଦୁଇଟି ତତ୍ତ୍ୱରେ ବନ୍ଧାକି ? ନା ଅନେକ ତତ୍ତ୍ୱ ଓ ମତ ତାଙ୍କଠାରେ ସମାହିତ। ତେଣୁ ଆଗାମୀ ଅଧ୍ୟାୟରେ ଜାଣିବା ଶାକ୍ତ ମତ ଓ ଜୈନଧର୍ମରେ ବାଇଶି ପାହାଚକୁ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ତତ୍ତ୍ୱ ବିଷୟେ ମୂଢ଼ ପଣେ
ସଂସାର ସତ୍ୟ ବୋଲି ମଣେ ।
ସତ୍ତ୍ୱ ଗୁଣରୁ ଋଷି ଦେବ
ରଜରୁ ଅସୁର ମାନବ ।
ତମୁ ତୀର୍ଯ୍ୟକ ଭୂତ ଜାତ
କର୍ମ ଭ୍ରମଣ ତିନି ମତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.