Latest Odisha News

ରେଳ ଷ୍ଟେସନରେ ଓଭରହେଡ୍‌ ପାଣିଟାଙ୍କି ଖସି ୩ ଯାତ୍ରୀ ମୃତ 

କୋଲକାତା: ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ସେହି ସମୟରେ ଓଭରହେଡ୍‌ ପାଣି ଟାଙ୍କି ଖସି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଏହି ବଡ଼ ଧରଣର ଅଘଟଣ ଘଟିଛି ।

ଆହତଙ୍କୁ ବର୍ଦ୍ଧମାନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ୧୨ ଟା ବେଳେ ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରି ରହିଥିଲେ ଯାତ୍ରୀ । ସେହି ସମୟରେ ହଠାତ୍ ଓଭରହେଡ୍‌ ପାଣି ଟାଙ୍କିଟି ଖସି ପଡ଼ିଥିଲା। ଟ୍ରେନକୁ ଅପେକ୍ଷା କରିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରେଲୱେ ଅଧିକାରୀ, ଆରପିଏଫ୍, ଜିଆରପି, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଷ୍ଟେସନର ୧, ୨ ଓ ୩ ନମ୍ବର ପ୍ଲାଟଫର୍ମ ଦେଇ ଟ୍ରେନ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ଏନେଇ ଉତ୍ତର ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ଜଣଙ୍କୁ ରେଲୱେ ପକ୍ଷରୁ ନିଲମ୍ବିତ କରାଯାଇଛି। ଡାକ୍ତରଖାନାରେ ଆହତମାନଙ୍କ ଚିକିତ୍ସା ଚାଲିଛି ।

Comments are closed.