Latest Odisha News

BREAKING NEWS

ବିବାହ ପରେ ଫେରାର ‘ଲୁଟେରି ଦୁଲହନ’; ଠକିଲେଣି ୧.୨୫ କୋଟି

ଜୟପୁର: ଆପଣ ‘ଲୁଟେରୀ ଦୁଲହନ୍’ର କାହାଣୀ ଶୁଣିଥିବେ ନିଶ୍ଚୟ। ଏହାକୁ ନେଇ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ତେବେ ଏଭଳି ଏକ ମାମଲା ଜୟପୁରରୁ ଆସିଛି। ଏହି ମହିଳାଙ୍କୁ ଧରିବା ପାଇଁ ପୋଲିସକୁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ବାସିନ୍ଦା ସୀମା ପ୍ରଥମେ ୨୦୧୩ ରେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। କିଛି ଦିନ ପରେ ସେ ଉକ୍ତ ବ୍ୟକ୍ତିଙ୍କ ପରିବାର ବିରୋଧରେ ମାମଲା ଦାୟର କରି ଆପୋଷ ବୁଝାମଣା ପାଇଁ ୭୫ ଲକ୍ଷ ଟଙ୍କା ନେଇଥିଲେ।

ଏହା ପରେ ସୀମା ୨୦୧୭ରେ ଗୁରୁଗ୍ରାମର ଏକ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କଠାରୁ ଅଲଗା ହେବାକୁ ଯାଇ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଝଡାଇଥିଲେ। ଏହା ପରେ ୨୦୨୩ ମସିହାରେ ସେ ଜୟପୁରର ଜଣେ ପ୍ରସିଦ୍ଧ ଅଳଙ୍କାର ବ୍ୟବସାୟୀଙ୍କୁ ଫସାଇ ବିବାହ କରିଥିଲେ। ପରେ ତାଙ୍କ ଘରୁ ୩୬ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ।

ଏହା ପରେ ମଧ୍ୟ ସେ ବ୍ଲାକମେଲିଂ କରିବା ଜାରି ରଖିଥିଲେ। ସେ ତାଙ୍କ ସ୍ୱାମୀ ଏବଂ ପରିବାର ବିରୋଧରେ ଡେରାଡୁନରେ ମାମଲା ଦାୟର କରିଥିଲେ ଏବଂ ସେମାନଙ୍କୁ ଧମକଚମକ ମଧ୍ଯ ଦେଉଥିଲେ।

ଏହି ଅଳଙ୍କାର ବ୍ୟବସାୟୀ ଜଣକ ଜୋତୱାଡର ନିବାସୀ ଥିଲେ। ସେ ଜୁଲାଇ ୨୦୨୩ରେ ପୋଲିସରେ ଏନେଇ ଏକ ମାମଲା ରୁଜୁ କରିଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ ସେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ପିଲାମାନଙ୍କର ଯତ୍ନ ନେବା ଏବଂ ଏକ ଜୀବନସାଥୀ ପାଇଁ ମାଟ୍ରିମୋନି ଆପରେ ରେଜିଷ୍ଟର କରିଥିଲେ। ସେ ଏହି ଆପ ମାଧ୍ୟମରେ ଜଣେ ମହିଳାଙ୍କ ସହ ସମ୍ପର୍କ କରିଥିଲେ। ଏପରିକି ତାଙ୍କୁ ସେ ସାକ୍ଷାତ କରିବାକୁ ଡେରାଡୁନ୍ ମଧ୍ଯ ଯାଇଥିଲେ ଏବଂ ସହମତି ପରେ ଦୁହେଁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ତାଙ୍କ ପତ୍ନୀ ଅର୍ଥାତ୍ ଲୁଟେରି ଦୁଲହନ ପ୍ରଥମେ ପରିବାରର ବିଶ୍ୱାସ ଜିତିଥିଲେ ଏବଂ ପରେ ହଠାତ୍ ଦିନେ ଘରୁ ୩୬.୫୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ। ଏହା ପରେ ଜୟପୁର ପୋଲିସ ସୀମାଙ୍କୁ ଗିରଫ କରିଥିଲା।

ପୋଲିସର ତଦନ୍ତରୁ ଜଣାପଡିଛି ଯେ ସୀମା ସାଧାରଣତଃ ଛାଡପତ୍ର ହୋଇଥିବା କିମ୍ବା ପତ୍ନୀ ହରାଇଥିବା ପୁରୁଷଙ୍କୁ ବିବାହ କରୁଥିଲେ। ବିବାହ ପରେ ସେ ତିନିମାସ ପର୍ଯ୍ୟନ୍ତ ସ୍ୱାମୀଙ୍କ ପରିବାର ସହିତ ଭଲଭାବେ ମିଶି ସେମାନଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାନ୍ତି। ସେମାନଙ୍କ ବିଶ୍ୱାସ ଜିତିବା ପରେ ସମୟ ସୁଯୋଗ ଦେଖି ଘରେ ଥିବା ଲକ୍ଷ ଲକ୍ଷ ଟଙ୍କା ଏବଂ ଅଳଙ୍କାର ଚୋରି କରିନେଉଥିଲେ। ତେବେ ଭିନ୍ନଭିନ୍ନ ରାଜ୍ୟରେ ବିବାହ କରି ସେ ବିଭିନ୍ନ ମାମଲାରେ ଆପୋଷ ବୁଝାମଣା କରି ମୋଟ ୧.୨୫ କୋଟି ଟଙ୍କା ହାତେଇଥିଲେ।

Leave A Reply

Your email address will not be published.