ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା। ଏହି ସମୟରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସିଗଲେ ୩ ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ମୃତକଙ୍କ ନାଁ ଗୁଲେକ ପୋଢ଼। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାଁ ରଜନୀ ପୋଢ଼। ସେହିପରି ନିଖୋଜ ଥିବା ବ୍ୟକ୍ତିଙ୍କ ନାଁ ପ୍ରମୋଦ ପୋଢ଼। ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଛି। ପିପିଲିପାଲି ଅଞ୍ଚଳରେ ଉପରମୁଣ୍ଡରୁ ବନ୍ୟା ଜଳସ୍ତର ବଢ଼ି ଯାଇଛି। ମାଛ ଧରୁଥିବା ବେଳେ ଏହି ତିନି ଜଣ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହି ସମୟରେ ରଜନୀ ପୋଢ଼ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ଅନ୍ୟପଟେ ଘଟଣା ସମ୍ପର୍କରେ ଆଗଲପୁର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। କିନ୍ତୁ ଗୁଲେକ ପୋଢ଼ଙ୍କର ପାଣି ଭିତରେ ମୃତ୍ୟୁ ହୋଇସାରିଥିଲା। ଅଗ୍ନିଶମ ବାହିନୀ ତାଙ୍କ ଶବକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି। ପ୍ରମୋଦ ପୋଢ଼ ଏବେ ବି ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ରହିଛି।
Comments are closed.