ବଲାଙ୍ଗୀର: ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରୁ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି ବଲାଙ୍ଗୀର ଅବକାରୀ ବିଭାଗ । ତୁଷୁରା-ଆଟଗାଁ ରାସ୍ତାରେ ଆଜି ଏହି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଉକ୍ତ ଥାର୍ ଗାଡିକୁ ଜବତ କରାଯାଇଛି ।
ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡର ସଲମାନ ଆଲମ ଏବଂ ମହମ୍ମଦ ଅସିଫ । କନ୍ଧମାଳ ଜିଲ୍ଲାରୁ ମହାରାଷ୍ଟ୍ରର ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍ ପୂର୍ବରୁ ପ୍ରସ୍ତୁତ ରହିଥିଲା । ଫିଲ୍ମ ଷ୍ଟାଇଲରେ ଥାର ଗାଡ଼ିକୁ କାବୁ କରିଥିଲା ।
ଅଭିଯୁକ୍ତମାନଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୭ ଲକ୍ଷ ଟଙ୍କା ଓ ଥାର୍ ଗାଡ଼ିର ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏ ନେଇ ବଲାଙ୍ଗିର ଅବକାରୀ ଥାନାରେ ମାମଲା ରୁଜ୍ଜୁ ସହ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି ।
