ମୁମ୍ବାଇ: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ଏହା ପରେ ରୋହିତ ଓ ମୁମ୍ବାଇ ଫ୍ରାଂଚାଇଜ ମଧ୍ୟରେ ଅଶାନ୍ତି ଉପୁଜିଥିବା ଅନୁମାନ କରାଯାଉଥିଲା । ଏବେ ରୋହିତ ମୁମ୍ବାଇ ଟିମ ସହିତ ରହିବାକୁ ଚାହୁଁ ନାହାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯଦି ମୁମ୍ବାଇ ତାଙ୍କୁ ରିଲିଜ କରେ ତେବେ ରୋହିତ ମେଗା ନିଲାମରେ ମୋଟା ଅଙ୍କର ଅର୍ଥ ହାସଲ କରିବେ ବୋଲି ଆଶା କରାଯାଉଛି । ୩ଟି ଟିମ ରୋହିତଙ୍କୁ ନେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ଜଣାପଡିଛି ।
ପଞ୍ଜାବ କିଙ୍ଗସ ଏ ପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ହାସଲ କରିପାରି ନାହିଁ । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଚାମ୍ପିୟନ ହୋଇଥିବାରୁ ତାଙ୍କ ଅଭିଜ୍ଞତାକୁ ହାତେଇବା ପାଇଁ ପଞ୍ଜାବ ଯଥାସମ୍ଭବ ଉଦ୍ୟମ କରିବ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ରୋହିତଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି । ଦଳ ଏବେ ରିଷଭ ପନ୍ତଙ୍କୁ ରିଲିଜ କରିବ ବୋଲି ବିଚାର କରୁଛି । ଯଦି ଏହା ହୁଏ ତେବେ ରୋହିତ ଏକ ଉପଯୁକ୍ତ ଚୟନ ହେବ ବୋଲି ଫ୍ରାଂଚାଇଜ ଦୃଢ଼ ଆଶାରେ ରହିଛି ।
କିଛି ଦିନ ତଳେ ବେଙ୍ଗାଲୁର ପ୍ରଶଂସକମାନେ ରୋହିତଙ୍କୁ ଆcରସିବିରେ ନେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଦଳର ଅନେକ ଖେଳାଳିଙ୍କୁ ବଦଳ କରିବାକୁ ଚାହୁଁଛି । ରୋହିତ ଶର୍ମା ଓ ବିରାଟ କୋହଲି କମ୍ବିନେଶନ ଆରସିବିକୁ ଚାମ୍ପିୟନ କରାଇପାରେ ବୋଲି ଆଶା କରାଯାଉଛି । ଫ୍ରାଂଚାଇଜ ମଧ୍ୟ ହିଟମ୍ୟାନଙ୍କୁ ନେବା ପାଇଁ ନିଶ୍ଚିତ ଭାବେ ଚାହିଁବ ।
Comments are closed.