ଭୁବନେଶ୍ବର: ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ। ଆସନ୍ତାକାଲି ସୁଦ୍ଧା ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଦେଖାଦେବନି ଆଳୁ ସଙ୍କଟ। ଆଜି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ କହିଛନ୍ତି, ବଜାରରେ ଏବେ ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି। କେଉଁଠି କେଉଁଠି ଅତି ବେଶୀରେ ୪୦ ଟଙ୍କାରେ ବିକ୍ରି ହେଉଛି। ଏସବୁ ଦେଖିବାକୁ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ଯଦି ବ୍ୟବସାୟୀ ଅଧିକ ଦରରେ ଆଳୁ ବିକ୍ରି କରିବେ, ତା’ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ମଙ୍ଗଳବାରଠୁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀମାନେ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ନେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି। ସେମାନଙ୍କ ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ ହୋଇଥିବାରୁ ବଳକା ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ। ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଇଚ୍ଛୁକ। ପଶ୍ଚିମବଙ୍ଗ ସରକାର ଓଡ଼ିଶା ଆଳୁ ପଠାଇବାକୁ ଅନୁମତି ଦେଉନଥିବାରୁ, ଆଳୁ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସେ ଆହୁରି କହିଛନ୍ତି, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଯେଉଁ ରାଜ୍ୟରେ ଯେଉଁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ସମ୍ପୂର୍ଣ୍ଣ ଓଲଟା।
Comments are closed.