ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ। ଏଥିରେ ସାଧାରଣ ଲୋକଙ୍କ ସମେତ ମତ୍ସ୍ୟଜୀବୀ ସାମିଲ ଅଛନ୍ତି। ଏହି ସମ୍ପର୍କିତ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ, ଭାରତର ଉଚ୍ଚାୟୁକ୍ତଙ୍କୁ ଏହି ତାଲିକା ଦେଇଛି ପାକିସ୍ତାନ। ପାକିସ୍ତାନ ଶନିବାର ଦେଇଥିବା ସୂଚନା ଅନୁସାରେ, ୪୨ ଜଣ ନାଗରିକ ଏବଂ ୨୬୬ ଜଣ ମତ୍ସ୍ୟଜୀବୀଙ୍କ ସମେତ ମୋଟ ୩୦୮ ଜଣ ଭାରତୀୟ ପାକିସ୍ତାନ ଜେଲ୍ରେ ଅଛନ୍ତି।
ଦୁଇ ଦେଶ ମଧ୍ୟରେ ୨୦୦୮ରେ ହୋଇଥିବା କନସୁଲାର ଆକ୍ସେସ୍ ଚୁକ୍ତିନାମା ଅନୁଯାୟୀ ଏହି ପାକିସ୍ତାନ ଏହି ତାଲିକା ଦେଇଛି ବୋଲି ବେଦେଶିକ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ସେହିପରି ଭାରତ ସରକାର ମଧ୍ୟ ଭାରତୀୟ ଜେଲରେ ଥିବା ପାକିସ୍ତାନୀ କଏଦୀମାନଙ୍କ ତାଲିକା ପାକିସ୍ତାନ ହାଇ କମିଶନଙ୍କୁ ଦେଇଛନ୍ତି।
ଭାରତ ଦେଇଥିବା ତାଲିକା ଅନୁଯାୟୀ ଭାରତୀୟ ଜେଲରେ ସମୁଦାୟ ୪୧୭ ପାକିସ୍ତାନୀ କଏଦୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୪୩ ଜଣ ସାଧାରଣ ନାଗରିକ ଏବଂ ୭୪ ଜଣ ମତ୍ସ୍ୟଜୀବୀ ବୋଲି କୁହାଯାଇଛି।
ଇସଲାମାବାଦ ନୂଆଦିଲ୍ଲୀକୁ ଅନୁରୋଧ କରିଛି ଯେ ସେହି ସମସ୍ତ ପାକିସ୍ତାନୀ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଏବଂ ଦେଶକୁ ଫେରାଇ ଆଣିବା, ଯେଉଁମାନେ ନିଜ ନିଜ ଦଣ୍ଡ ସମାପ୍ତ କରିଛନ୍ତି ଏବଂ ସେମାନଙ୍କର ଜାତୀୟ ସ୍ଥିତି ନିଶ୍ଚିତ ହୋଇଛି।
ସେହିପରି ଦଣ୍ଡ ଭୋଗୀ ସାରି ମଧ୍ୟ ଭାରତୀୟ ଜେଲ୍ରେ ଥିବା ନିଜ ଦେଶର ସାଧାରଣ ନାଗରିକ ଓ ମତ୍ସ୍ୟଜୀବୀଙ୍କୁ ଛାଡ଼ି ଦେବାକୁ କରିଦେବାକୁ ପାକିସ୍ତାନ ସରକାର ଭାରତକୁ ନିବେଦନ କରିଥିବା ବେଳେ ଭାରତ ମଧ୍ୟ ପାକିସ୍ତାନକୁ ସମାନ ଅନୁରୋଧ କରିଛି। ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନର ୬୨ ଜଣଙ୍କ ବ୍ୟକ୍ତିଙ୍କ ନାଗରିକତା ଯାଞ୍ଚ କରାଯାଇଛି।
ସୂଚନା ଥାଉକି ଚୁକ୍ତି ମୁତାବକ ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ପହିଲାରେ ଦୁଇଦେଶ ପରସ୍ପର ଦେଶରେ ବନ୍ଦୀ ଥିବା ଉଭୟ ଦେଶର ନାଗରିକଙ୍କ ତାଲିକା ପ୍ରଦାନ କରିଥାନ୍ତି। ବିଭାଗୀୟ ଉଦ୍ୟମ ଯୋଗୁ ୨୦୧୪ ପରଠାରୁ ୨୫୫୯ ଜଣ ଭାରତୀୟ ମତ୍ସ୍ୟଜୀବୀ ଓ ୬୩ ଜଣ ସାଧାରଣ ଲୋକଙ୍କୁ ପାକିସ୍ତାନ ଜେଲରୁ ମୁକୁଳାଇ ଭାରତ ଅଣାଯାଇଛି। ସେଥିମଧ୍ୟରୁ ଚଳିତ ବର୍ଷ ୩୯୮ ଜଣ ମତ୍ସ୍ୟଜୀବୀ ଓ ୫ ଜଣ ସାଧାରଣ ଭାରତୀୟ ନାଗରିକ ରହିଛନ୍ତି।
Comments are closed.