ଭୁବନେଶ୍ଵର: ଏମ୍ସରେ ଚିହ୍ନଟ ହୋଇଛନ୍ତି ୩୧ ଜଣ ଏଚ୍ଆଇଭି ପଜିଟିଭ୍। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର ଏମ୍ସର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି। ଏହି ସବୁ ପ୍ରକ୍ରିୟା ଏଚଆଇଭି ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପ୍ରତିରୋଧ, ନିରାକରଣ ଏବଂ ଯତ୍ନ ପାଇଁ ଏମ୍ସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ବୋଲି ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି।
ଜନସାଧାରଣଙ୍କ ମଧ୍ୟରେ ସଚେନତନା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳନ ଅବସରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କମ୍ୟୁନିଟି ମେଡିସିନ୍, ଫ୍ୟାମିଲି ମେଡିସିନ୍, ଟ୍ରାନ୍ସଫ୍ୟୁଜନ୍ ଏବଂ ବ୍ଲଡ ବ୍ୟାଙ୍କ ବିଭାଗ ଦ୍ୱାରା ଓଡ଼ିଶା ରାଜ୍ୟ ଏଡସ୍ ସୋସାଇଟି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶେଷଜ୍ଞ ଏଡ୍ସ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ମାଗଣା ଏଚଆଇଭି ପରୀକ୍ଷା ଶିବିର ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ୪୫ ଜଣ ବ୍ୟକ୍ତି ଏଚ୍ଆଇଭି ପରୀକ୍ଷା କରାଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ବିନୋଦ କୁମାର ପାତ୍ର, ଡ. ଅନୁପମ ଦେ, ଡ. ବିଜୟିନୀ ବେହେରା, ଡ. ବିନୋଦ କୁମାର ବେହେରା, ଡ. ଅରବିନ୍ଦ କୁମାର ସିଂ, ଡ. ଅଂଶୁମାନ ସାହୁ, ଡ. ଧ୍ରୁତିମାନ ଏବଂ କେଏନପି ପ୍ଲସ୍ର ପ୍ରଭାସିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଆସନ୍ତା ବର୍ଷ ଜାନୁଆରୀ ମାସରେ ୧୯ତମ ଏଚଆଇଭି ସେଣ୍ଟିନେଲ ସର୍ଭିଲାନ୍ସ ଆୟୋଜନ ହେବ ବୋଲି ସୂଚନା ମିଳିଛି।
Comments are closed.