Latest Odisha News

କିଛି ଦିନର ବିରତି ପରେ ପୁଣି ଜଳିଲା ଲସ୍ ଆଞ୍ଜେଲସ୍

ନୂଆଦିଲ୍ଲୀ: ସପ୍ତାହେ ନ ଯାଉଣୁ ପୁଣି ଜଳିଲା ଲସ୍ ଆଞ୍ଜେଲସ । ଗତକାଲି ଲସ୍ ଆଞ୍ଜେଲସର ଉତ୍ତରରେ ଥିବା ଆଉ ଏକ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ପ୍ରବଳ ପବନ କାରଣରୁ ଦେଖୁ ଦେଖୁ ନିଆଁ ୮,୦୦୦ ଏକର ଅଞ୍ଚଳକୁ ବ୍ୟାପିଯାଇଛି । ସେପଟେ ଜଙ୍ଗଲ ନିଆଁରେ ୧୯,୦୦୦ ରୁ ଅଧିକ ଲୋକ ଫସି ରହି ଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଲସ୍ ଆଞ୍ଜେଲସ୍ ଠାରୁ ପ୍ରାୟ ୫୦ ମାଇଲ୍ (୮୦ କିଲୋମିଟର) ଉତ୍ତରରେ ଥିବା କାଷ୍ଟିକ ହ୍ରଦ ନିକଟ ହ୍ୟୁଗ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। କିଛି ଘଣ୍ଟା ମଧ୍ୟରେ ନିଆଁ ୮୦୦୦ ଏକରରୁ ଅଧିକ ଅଞ୍ଚଳକୁ ବ୍ୟାପିଯାଇଛି । ପ୍ରବଳ ଶୁଷ୍କ ପବନ ଏବଂ ଶୁଖିଲା ବୁଦା କାରଣରୁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ନିଆଁ କାଷ୍ଟିକ ହ୍ରଦ, ସାନ୍ତା କ୍ଲାରିଟା ନିକଟରେ ଲାଗିଛି । ଅଗ୍ନିକାଣ୍ଡ କାରଣରୁ ୩୧୦୦୦ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ, ସାନ୍ ଗାବ୍ରିଏଲ୍ ପର୍ବତମାଳାସ୍ଥିତ ସମ୍ପୂର୍ଣ୍ଣ ୭୦୦,୦୦୦ ଏକର ବିଶିଷ୍ଟ ପାର୍କ ପରିଦର୍ଶକଙ୍କ ପାଇଁ ବନ୍ଦ ରହିଛି ।

ତେବେ କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ଏବଂ ଆଞ୍ଜେଲସ୍ ନ୍ୟାସନାଲ ଫରେଷ୍ଟ କର୍ମଚାରୀମାନେ ଏହି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରାୟ ୧୧୦୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେପଟେ ହେଲିକପ୍ଟରଗୁଡ଼ିକ ହ୍ରଦରୁ ପାଣି ଆଣି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନଙ୍କୁ ତୁରନ୍ତ ଘର ଛାଡି ଯିବା ପାଇଁ ସୂଚନା ଦିଆଯାଇଛି । ଦକ୍ଷିଣ କାଲିଫର୍ଣ୍ଣିଆର ଅଧିକାଂଶ ଅଞ୍ଚଳରେ ଶୁଷ୍କ ପବନ ବହୁଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପଶ୍ଚିମ ଆମେରିକାର ପ୍ରମୁଖ ଉତ୍ତର-ଦକ୍ଷିଣ ରାଜପଥ ଇଣ୍ଟରଷ୍ଟେଟ୍ ୫ ବନ୍ଦ କରିଦିଆଯାଇଛି।

କହିରଖୁଛୁ ଯେ, ଗତ ସପ୍ତାହରେ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ପୁରା ସହରକୁ ବ୍ୟାପି ଏକ ବିଶାଳ ଅଞ୍ଚଳକୁ ଛାରଖାର କରିଦେଇଥିଲା । ଏଥରେ ହଜାର ହଜାର ଘର ଜଳି ପୋଡି ପାଉଁଶ ହୋଇଯାଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୫ ଜଣ ପ୍ରାଣ ହରାଇଥିଲେ। ତେବେ ଆମେରିକା ଇତିହାସର ଏହି ବଡ଼ ଧରଣର ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଦିନରାତି ସଂଘର୍ଷ କରିଥିଲା । କିନ୍ତୁ ଲାଗୁଥିଲା ଯେପରି ନିଆଁ ଆଗରେ ହାର୍ ମାନି ଯାଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ । ସେହି ନିଆଁ ଲିଭିବାର ଏକ ସପ୍ତାହ ନ ପୁରୁଣୁ ଏବେ ପୁଣି ଜଳିଲାଣି ଲସ୍ ଆଞ୍ଜେଲସ୍ ।

Comments are closed.