Latest Odisha News

BREAKING NEWS

ମାଆଙ୍କ ଚିକିତ୍ସା ପାଇଁ ଲୁଟ ନିଷ୍ପତ୍ତି ନେଇଥିଲା ସୈଫ୍‌ଙ୍କ ଆକ୍ରମଣକରୀ

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସେହି ଦିନ କାହିଁକି ସୈଫଙ୍କ ଉପରେ ଆକ୍ରମଣ ହେଲା ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା ସେ ଉପରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେ‌ଳେ ଏବେ ଅଭିଯୁକ୍ତର ଏଭଳି ଉଦ୍ୟମ ପଛର କାରଣ ସାମ୍ନାକୁ ଆସିଛି।

ଅଭିଯୁକ୍ତର ବୟାନ ହିସାବରେ କୁହାଯାଉଛି ଯେ, ନିଜ ମା’ଙ୍କ ଚିକିତ୍ସା ପାଇଁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରୀଫୁଲ ଇସଲାମ ଶହଜାଦ ଓରଫ ବିଜୟ ଦାସ ଚୋରି କରିବାକୁ ନିଷ୍ପତ୍ତି ନେଇଥିଲ‌ା। ଚାକିରି ଚାଲିଯିବା ପରେ ଟଙ୍କା ରୋଜଗାରର ଅନ୍ୟ କିଛି ବାଟ ନପାଇ ବିଜୟ ଏଭଳି କରିଥିବା ନେଇ ସାମ୍ନାକୁ ଆସିଛି। ଜଣେ ଧନୀ ବ୍ୟକ୍ତିଙ୍କୁ ଲୁଟିବା ପରେ ବାଙ୍ଗଲାଦେଶ ଫେରିଯିବାକୁ ଯୋଜନା କରିଥିଲା ଶରୀଫୁଲ।

ତେବେ ଅଭିଯୁକ୍ତ ପୂର୍ବରୁ ରେସ୍ତୋରାଁରେ କାମ କରି ୧୩ ହଜାର ଟଙ୍କା ପାଉଥିଲା। ମା’ଙ୍କ ଚିକିତ୍ସା ପାଇଁ ବାଂଲାଦେଶକୁ ୧୨ ହଜାର ପଠାଇବା ସହ ନିଜ ପାଖରେ ୧ହଜାର ରଖୁଥିଲା। ଦିନେ ହଠାତ୍ ଜଣେ ଗ୍ରାହକଙ୍କ ହୀରା ମୁଦି ଚୋରି କରିବାରୁ ତାକୁ ରେସ୍ତୋରାଁରୁ ବାହାର କରିଦିଆଯାଇଥିଲା। ଏହା ପରେ ତା ପାଖରେ ଘରକୁ ପଠାଇବାକୁ ଆଉ ଟଙ୍କା ନଥିଲା। ଏହା ପରେ ସେ କୌଣସି ଧନୀ ବ୍ୟକ୍ତିଙ୍କୁ ଲୁଟିବେ ବୋଲି ଯୋଜନା କରିଥିଲା। ଅଭିଯୁକ୍ତ ଦେଇଥିବା ବୟାନ ସତ ନା ସେ କାହାଣୀ ବନାଉଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ସୂଚନା ଥାଉଖି ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ସୂଚନା ମିଳିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ମଙ୍ଗଳବାର ସେ ଘରକୁ ଫେରିଥିଲେ।

 

Comments are closed.