ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରୁ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାମୁତାବକ ରାତିସାରା ସେନା ଦ୍ୱାରା ହୋଇଥିବା ଏୟାରଷ୍ଟ୍ରାଇକ(Myanmar military air strike)ରେ ଏକ ସମ୍ପୂର୍ଣ୍ଣ ହସ୍ପିଟାଲ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି। ବୁଧବାର ରାତିରେ ଅରାକାନ୍ ସେନା(Arakan Army) ଦ୍ୱାରା ନିୟନ୍ତ୍ରିତ ମ୍ରାଉକ୍-ୟୁ ଟାଉନସିପରେ ଏହି ଆକ୍ରମଣ ହୋଇଥିଲା। ଏହି ଅଞ୍ଚଳରେ ଦୀର୍ଘଦିନ ଧରି ସଂଘର୍ଷ ଏବଂ ଅସ୍ଥିରତା ରହିଛି । ଏହି ଆକ୍ରମଣରେ ହସ୍ପିଟାଲର ୩୪ ଜଣ ରୋଗୀ ଏବଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଓ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି ।
ସ୍ଥାନୀୟ ଉଦ୍ଧାର ଦଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆକ୍ରମଣଟି ରାତି ୯:୧୩ ରେ ଘଟିଥିଲା, ଯେତେବେଳେ ଏକ ଲଢ଼ୁଆ ବିମାନ ହସ୍ପିଟାଲ ଉପରେ ଦୁଇଟି ବୋମା ପକାଇଥିଲା। ପ୍ରଥମ ବୋମାଟି ହସ୍ପିଟାଲର ରିକଭରି ୱାର୍ଡ ଉପରେ ପଡ଼ିଥିଲା, ଏବଂ ଦ୍ୱିତୀୟଟି ମୁଖ୍ୟ କୋଠା ନିକଟରେ ବିସ୍ଫୋରଣ ହୋଇଥିଲା। ଦୁଇଟି ବିସ୍ଫୋରଣରେ ସମ୍ପୂର୍ଣ୍ଣ କୋଠା ପ୍ରାୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ବଡ଼ ବଡ଼ ହସ୍ପିଟାଲ କୋଠା ସହିତ, ପାଖରେ ପାର୍କିଂ ହୋଇଥିବା ଟ୍ୟାକ୍ସି ଏବଂ ମୋଟରସାଇକେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ରେସ୍କ୍ୟୁ ଅଧିକାରୀଙ୍କ ଅନୁଯାୟୀ, ସେମାନେ ଘଟଣାସ୍ଥଳରୁ ୧୭ ଜଣ ପୁରୁଷ ଏବଂ ୧୭ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ରଖାଇନ୍ ରାଜ୍ୟର ଇତିହାସ ସଂଘର୍ଷ ଏବଂ ଉତ୍ତେଜନାପୂର୍ଣ୍ଣ। ଏହା ସେହି ଅଞ୍ଚଳ ଯେଉଁଠାରେ ୨୦୧୭ ମସିହାରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପ୍ରାୟ ୭ଲକ୍ଷ ୪୦,୦୦୦ ରୋହିଙ୍ଗ୍ୟା ମୁସଲମାନ ସେମାନଙ୍କ ଘର ଛାଡି ବାଂଲାଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ଆଜି ବି ମଧ୍ୟ ରଖାଇନରେ ବୌଦ୍ଧ ସମ୍ପ୍ରଦାୟ ଏବଂ ରୋହିଙ୍ଗ୍ୟାଙ୍କ ମଧ୍ୟରେ ଜାତିଗତ ଉତ୍ତେଜନା ଏବେ ବି ଜାରି ରହିଛି।
ଅରାକାନ୍ ସେନା ହେଉଛି ମିଆଁମାର ସରକାରଙ୍କଠାରୁ ସ୍ୱାଧୀନତା ଦାବି କରୁଥିବା ରଖାଇନ୍ ଜାତିଗତ ସଂଖ୍ୟାଲଘୁ ଆନ୍ଦୋଳନର ଏକ ସୁପ୍ରଶିକ୍ଷିତ ସେନା।