ବ୍ରାଜିଲ୍: ଟ୍ରକ୍କୁ ପିଟିଲା ବସ୍ । ୩୮ ମୃତ, ୯ ଗୁରୁତର । ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ପରେ ବସ୍ରେ ଲାଗିଲା ନିଆଁ । ବସ୍ଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ରେ ୪୫ରୁ ଅଧିକ ଯାତ୍ରୀ ଥିଲେ । ସେପଟେ ୯ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ୍ ଜେରାଇସରେ ଶନିବାର ଏହି ଦୁର୍ଘଟଣା ଘଟିଛି। BR-116 ରାଜପଥରେ ମିନାସ୍ ଜେରାଇସର ଟିଫିଲୋ ଓଟୋନି ନିକଟରେ ହଠାତ୍ ବସ୍ର ଟାୟାର ଫାଟିଯିବା କାରଣରୁ ନିୟନ୍ତ୍ରଣ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍ରେ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପଟେ ଏକ କାର୍ ମଧ୍ୟ ଉକ୍ତ ଟ୍ରକ୍କୁ ଆସି ଧକ୍କା ଦେଇଥିଲା। ଏଥିରେ ୩ ଜଣ ଯାତ୍ରୀ ଥିଲେ। ତେବେ ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେପଟେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି। ତେବେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସ୍ରେ ଗ୍ରାନାଇଟ ଖଣ୍ଡ ମାଡ଼ ହେବାରୁ ବସ୍ଟି ନିୟନ୍ତ୍ରଣ ହରାଇ ଟ୍ରକ୍ ସହ ପିଟି ହୋଇଯାଇଥିଲା। ରାଷ୍ଟ୍ରପତି ଲୁଇଜ ସୋଶାଲ ମିଡିଆରେ ଦୁର୍ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି। ଟ୍ୱିଟରରେ ଏକ ପୋଷ୍ଟ କରି ଦୁର୍ଘଟଣାରେ ୩୮ ରୁ ଅଧିକ ପୀଡିତଙ୍କ ପରିବାରକୁ ମୁଁ ମୋର ଗଭୀର ସମବେଦନା ଓ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି ରାଷ୍ଟ୍ରପତି ଲୁଇଜ ।