Latest Odisha News

BREAKING NEWS

୩୮ତମ ନ୍ୟାସନାଲ ଗେମ୍ସ; ଓଡ଼ିଶା ଖାତାକୁ ଆସିଲା ୪୬ଟି ପଦକ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ମିଳିଛି ୪୬ଟି ପଦକ । ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶା ଟପ୍ ୧୫ରେ ମଧ୍ୟ ସ୍ଥାନ ପାଇଛି ।

୩୮ତମ ନ୍ୟାସନାଲ ଗେମ୍ସରେ କ୍ରୀଡ଼ାବିତମାନଙ୍କ ଉଲ୍ଲେଖନୀୟ ସଫଳତା ସମ୍ବନ୍ଧରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଟପ୍ ୧୫ ରେ ସ୍ଥାନ ପାଇଛି । ଓଡ଼ିଶାକୁ ଏଥର ସର୍ବମୋଟ ୪୬ଟି ପଦକ ଏବଂ ୧୪ଟି ସ୍ବର୍ଣ୍ଣ ପଦକ ମିଳିଛି । ମୁଁ ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏଥିସହ ସଫଳ କ୍ରୀଡ଼ାବିତମାନଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।

ତେବେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ୬ ଲକ୍ଷ, ରୌପ୍ୟ ପଦକ ପାଇଁ ୪ ଲକ୍ଷ ଓ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆମ କ୍ରୀଡ଼ାବିତମାନେ ହେଲେ ଆମ ଗର୍ବ ଓ ଗୌରବ । ନ୍ୟାସନାଲ ଗେମ୍ସରେ ଉଲ୍ଲେଖନୀୟ ସଫଳତା ପାଇଁ ଆମେ ସମସ୍ତେ ଆଜି ଗର୍ବିତ ବୋଲି କ୍ରୀଡ଼ାମନ୍ତ୍ରୀ ମତପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାରୁ ୩୦୨ଜଣ ଆଥଲିଟ ଓ ୭୫ ଜଣ ସପୋର୍ଟ ଷ୍ଟାଫ୍ ଯୋଗଦେଇଥିଲେ । ଓଡ଼ିଶାର ଧାବକ ଅନିମେଷ କୁଜୁରଙ୍କୁ ୩ଟି ସ୍ବର୍ଣ୍ଣ, ଜିମନାଷ୍ଟିକ କ୍ରୀଡ଼ାବିତ ରାକେଶ ପାତ୍ରଙ୍କୁ ୨ଟି ସ୍ବର୍ଣ୍ଣ, ଜିମନାଷ୍ଟିକ କ୍ରୀଡ଼ାବିତ ପ୍ରଣତୀ ନାୟକଙ୍କୁ ୧ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ, ସାଇକ୍ଲିଷ୍ଟ ସ୍ବସ୍ତି ସିଂଙ୍କୁ ୧ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ମିଳିଛି । ଏଥିସହ ବିଭିନ୍ନ ବର୍ଗରେ ଓଡ଼ିଶାର କ୍ରୀଡ଼ାବିତମାନେ ନୂତନ ନ୍ୟାସନାଲ ଗେମ୍ସ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

Comments are closed.