Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର; ଆଜିଠୁ ତିନିଦିନ ଧରି ଚାଲିବ ଶିଳାନ୍ୟାସ ଉତ୍ସବ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି ଏକାମ୍ର ଶିଳାନ୍ୟାସ ଉତ୍ସବ  । ତିନିଦିନ ଧରି ଚାଲିବ ଏହି ଉତ୍ସବ । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫ ଜଣ ବ୍ରାହ୍ମଣ ଏହି ଶିଳାନ୍ୟାସ ଉତ୍ସବରେ ପୂଜାର୍ଚ୍ଚକା କରିବା ସହ ହୋମଯଜ୍ଞ କରିବେ । ଶ୍ରୀକ୍ଷେତ୍ର ପରି ଚମକିବ ଏକାମ୍ର କ୍ଷେତ୍ର ।

ସକାଳେ ଯଜ୍ଞ ପୂର୍ଣ୍ଣାହୂତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରକଳ୍ପ ପାଇଁ ଭୂମିଦାନ କରିଥିବା ୧୦୧ ଜଣଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ବିଡିଓ ଉପାଧ୍ୟକ୍ଷ ବଲବନ୍ତି ସିଂ ।

ଏହି ତିନିଦିନିଆ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏମସି କମିଶନର ବିଜୟ ଅମୃତ କୁଳାଙ୍ଗେଙ୍କ କହିବା ଅନୁଯାୟୀ, ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୁଲା କୁକୁର, ଗାଈଗୋରୁ ଯେପରି କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସୃଷ୍ଟି ନ କରିବେ ସେଥିପାଇଁ ବିଏମସି କର୍ମଚାରୀମାନେ ନଜର ରଖିବେ । ସୁରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିବା ସୂଚନା ଦେଇଥିଲେ ଡିସିପି ପ୍ରତୀକ ସିଂହ ।

ଏହି ଉତ୍ସବ ପାଇଁ କଲିକତାରୁ ୫ ଲକ୍ଷ ଟଙ୍କାର ୧୦ ପ୍ରକାର ଫୁଲ କିଣାଯାଇଛି । ୩ ଦିନ ମଧ୍ୟରେ ଲାଗିବ ୨ ପ୍ରକାର ରଙ୍ଗର ୧୨ ହଜାର ଗେଣ୍ଡୁମାଳ, ୨ ହଜାର କେତକୀ, ୫୦ କିଲୋ ମଲ୍ଲୀ, ୩୦ ହଜାର ଗୋଲାପ, ବେଲପତ୍ର, ଜୁଇ, ଯାଇ, ହେନା, ରଜନୀଗନ୍ଧା, କାଞ୍ଚନ ଇତ୍ୟାଦି ଫୁଲରେ ସଜେଇ ହେବ ରାଜଧାନୀ ।

ଏଥିପାଇଁ ପୁରା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଲାଇଟ ଆଣ୍ଡ ସାଉଣ୍ଡ ସୋରେ ଚମକୁଛି । ଏଥିସହିତ ଶିବ ମହିମା ସୁରରେ ସାରା ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଥାଉ କି, ଏହି ପ୍ରକଳ୍ପ କାମ ଆରମ୍ଭ ହେଲେ ବିନ୍ଦୁସାଗରଠାରୁ ଭବ୍ୟ ଲିଙ୍ଗରାଜ ମନ୍ଦିରକୁ ବିନା ବାଧାରେ ଜଣେ ଦେଖିପାରିବ । ୮୦ ଏକର ପରିମିତ ଜାଗାରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । ଗମନାଗମନ ବ୍ୟବସ୍ଥା ସହଜ ଓ ସରଳ କରିବା ପାଇଁ ୨ଟି ପ୍ରମୁଖ ରାସ୍ତା ସଂଯୋଗ କରାଯିବ । ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ଲଗେଜ ରୁମ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ । ମନ୍ଦିର ପରିକ୍ରମା ପାଇଁ ପାଦ ଚଲା ରାସ୍ତା ନିର୍ମାଣ କରାଯିବ । ଏହାବ୍ୟତୀତ ପାର୍କିଂ ବ୍ୟବସ୍ଥା, ମାର୍କେଟ କମ୍ପ୍ଲେକ୍ସ, ଭଜନ ମଣ୍ଡପ ବି ରହିବ । ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ   ଏଲଇଡି ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିଯିବ  ।

Comments are closed.