ଇମ୍ଫାଲ: ମଣିପୁରରେ ମେ’ ୪ ତାରିଖରେ ଦୁଇ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଏପରିକି ସଂସଦର ଉଭୟ ଗୃହରେ ବିରୋଧୀମାନେ ଏହି ପ୍ରସଙ୍ଗ ଉଠାଇବା ପରେ ଶେଷରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଗୁଆ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ମଣିପୁରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଉପରେ ଇସ୍ତଫା ଦେବାକୁ ଚାପ ପକାଇଛନ୍ତି। ବିଗତ ଦୁଇ ମାସ ହେବ ମଣିପୁରରେ ହିଂସା ଦେଖିବାକୁ ମିଳିଛି। ଯେଉଁଥିରେ ୧୫୦ ରୁ ଅଧିକ ଜୀବନ ଯାଇଛି।
ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ଉପଦ୍ରବକାରୀ। ଶୁକ୍ରବାର ଏହି ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛ ଲୋକ ଆସି ଅଭିଯୁକ୍ତର ଘରେ ନିଆଁ ଲଗାଇବା ପୂର୍ବରୁ ଭଙ୍ଗାରୁଜା କରୁଛନ୍ତି।
ଅନ୍ୟପଟେ ବିରୋଧୀଙ୍କ ଇସ୍ତଫା ଦାବି ପ୍ରସଙ୍ଗକୁ ବିରେନ ସିଂହ ଏଡାଇ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟକୁ ଶାନ୍ତି ଫେରାଇ ଆଣିବା ଏବଂ ଭାଇରାଲ ଭିଡିଓରେ କଥିତ ଘଟଣାର ଦୋଷୀଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟ। ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ସୁନିଶ୍ଚିତ ଦିଆଯିବ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆମ ସମାଜରେ ସବୁ ମହିଳାଙ୍କୁ ମା’ ଭଉଣୀ ଭଳି ଦେଖାଯାଉଛି, ଯେଉଁଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.