Latest Odisha News

BREAKING NEWS

ପାକିସ୍ତାନରେ ହାହାକାର: ତେଲ ସରିଲା, ସ୍କୁଲ ବନ୍ଦ !

ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଜାରି ରହିଥିବା ଯୁଦ୍ଧ ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଦେଖାଦେଇଥିବା ଉତ୍ତେଜନା ଏବେ ପାକିସ୍ତାନକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଶହେ ଡଲାର ଟପିବା ପରେ ପାକିସ୍ତାନରେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି ।

ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ସଂଘାତିକ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶରେ ଇନ୍ଧନ ସଞ୍ଚୟ କରିବା ପାଇଁ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ଇନ୍ଧନ ବଞ୍ଚାଇବା ପାଇଁ ସାରା ଦେଶରେ ସ୍କୁଲଗୁଡ଼ିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ଅନ୍‌ଲାଇନ୍ ମାଧ୍ୟମରେ ପାଠ ପଢ଼ିବେ, ଯାହାଦ୍ୱାରା ପରିବହନ ବାବଦକୁ ଖର୍ଚ୍ଚ ହେଉଥିବା ତେଲ ସଞ୍ଚୟ କରାଯାଇପାରିବ ।

ସେପଟେ ରମଜାନ ମାସ ଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖାଇବା ପିଇବା ଏବେ କଷ୍ଟକର ହୋଇପଡ଼ିଛି । ପଞ୍ଜାବ ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ଫଳ ଏବଂ ପନିପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। କଦଳୀ ଡଜନ ଏବେ ୩୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ସେହିପରି ଅଦା, ସେଓ ଏବଂ ଅନାର ପରି ଜରୁରୀ ସାମଗ୍ରୀ ସାଧାରଣ ଲୋକଙ୍କ ପହଞ୍ଚରୁ ବାହାରେ ।

ତେବେ ପାକିସ୍ତାନରେ କାହିଁକି ଉପୁଜିଲା ଏଭଳି ସ୍ଥିତି ? ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସଙ୍କଟର ମୁଖ୍ୟ କାରଣ ହେଉଛି ହୋର୍ମୁଜ୍ ଷ୍ଟ୍ରେଟ୍ । ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଏହି ସମୁଦ୍ର ପଥରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପାକିସ୍ତାନ ନିଜର ଅଧିକାଂଶ ତେଲ ଏହି ପଥ ଦେଇ ଆମଦାନୀ କରିଥାଏ, ତେଣୁ ସେଠାରେ ଏବେ ହାହାକାର ପରିସ୍ଥିତି।

ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ବିଶ୍ୱ ବଜାରରେ ସ୍ଥିତି ଶୀଘ୍ର ନ ସୁଧୁରେ, ତେବେ ପାକିସ୍ତାନରେ ମୁଦ୍ରାସ୍ଫୀତି ଏବଂ ଦୁର୍ଭିକ୍ଷ ପରି ସ୍ଥିତି ଆହୁରି ଭୟଙ୍କର ହେବ ।

Comments are closed.