ଭୋପାଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ଦନ୍ତା ହାତୀଙ୍କର ମୃତଦେହ ଠାବ ହୋଇଛି। ସେହିପରି ୫ ହାତୀ ଗୁରୁତର ହୋଇଥିବା ସୂଚନା ରହିଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଟାଇଗର ରିଜର୍ଭର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ଏହି ୪ ହାତୀଙ୍କ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ସମୟରେ ସମାନ ହାତୀ ପଲର ଅନ୍ୟ ୫ ହାତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି ଯେ ହାତୀମାନେ ହୁଏତ କିଛି ବିଷାକ୍ତ କିମ୍ବା ନାର୍କୋଟିକ୍ ଯୁକ୍ତ ପଦାର୍ଥ ଖାଇଦେଇଛନ୍ତି।
ବନ୍ୟଜନ୍ତୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକାଧିକ ଡାକ୍ତରୀ ଦଳ ବର୍ତ୍ତମାନ ଅସୁସ୍ଥ ଥିବା ୫ ହାତୀଙ୍କର ଚିକିତ୍ସା ଚଳାଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଅନ୍ୟପଟେ ମୃତ ୪ ହାତୀଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯେଉଁଥିରୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
Comments are closed.