Latest Odisha News

BREAKING NEWS

ମୁଣ୍ଡଳିରେ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ଟୋଲ୍ ଗେଟର ୪ କର୍ମଚାରୀ ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଛତିଶଗଡ଼ରୁ ବସ୍ ଯୋଗେ ଆସିଥିବା ପର୍ଯ୍ୟଟକଙ୍କୁ ମୁଣ୍ଡଳି ଟୋଲ୍ ଗେଟରେ ମାଡ଼ ମାରିଥିଲେ ଟୋଲ୍ ଗେଟ୍ କର୍ମଚାରୀ । ଏହି ମାମଲାରେ ମୁଣ୍ଡଳି ଟୋଲ୍ ଗେଟର ୪ ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟକୁ ଚାଲାଣ କରାଯାଇଛି । ସେମାନଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୪୭, ୧୪୮, ୩୪୧, ୩୮୪, ୩୨୩, ୩୨୪, ୩୨୫, ୩୦୭, ୪୨୭, ୫୦୬, ୩୫୪ (ବି) ଓ ୧୪୯ ଲାଗିଥିବା ସୂଚନା ଦେଇଛି ଆଠଗଡ଼ ପୋଲିସ ।

୧୭ ଦିନ ଧରି ଓଡ଼ିଶା ବୁଲିବା ପରେ ୨ଟି ବସରେ ଛତିଶଗଡ଼ର ପର୍ଯ୍ୟଟକ ଫେରୁଥିବା ବେଳେ ମୁଣ୍ଡଳି ଟୋଲଗେଟ୍ କର୍ମଚାରୀ ମାଡ଼ ମାରିଥିଲେ । ମଙ୍ଗଳବାର ଅପରାହ୍ଣରେ ଟୋଲ୍ ଗେଟରେ ଟୋଲ୍ ଦେୟକୁ ନେଇ କର୍ମଚାରୀ ଓ ପର୍ଯ୍ୟଟକଙ୍କ ଯୁକ୍ତିତର୍କ ହୋଇଥିଲା । ଅଭିଯୋଗ ଅନୁସାରେ, ୨ଟି ବସ୍ ଠାରୁ ବେଆଇନ୍ ଭାବେ ଟୋଲ୍ ଗେଟ୍ କର୍ମଚାରୀ ୫୦୦ ଟଙ୍କା ଲେଖାଏ ମାଗିଥିଲେ ।

ଅଧିକ ଟୋଲ୍ ଦେୟକୁ ନେଇ ପର୍ଯ୍ୟଟକ ଓ ଟୋଲ ଗେଟ୍ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଟୋଲ୍ ଦେୟ ୨୦୦ ଟଙ୍କାରୁ ଅଧିକ ଦେବେ ନାହିଁ ବୋଲି କହିଥିଲେ ପର୍ଯ୍ୟଟକ । ଟୋଲ୍ ଗେଟ୍ କର୍ମଚାରୀଙ୍କ ମାଡ଼ରେ ୨ ମହିଳା ପର୍ଯ୍ୟଟକଙ୍କ ସହ ୧୦ ଜଣ ଆହତ ହୋଇଥିଲେ । ବାଉଁଶ ଫାଳିଆ ଓ ପ୍ଲାଷ୍ଟିକ୍ ପାଇପରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି ଘଟଣା ପରେ ମୁଣ୍ଡଳି ଟୋଲ୍ ଗେଟକୁ ପରବର୍ତ୍ତୀ ଆଦେଶନାମା ପର୍ଯ୍ୟନ୍ତ ବନ୍ଦ କରିଛି ଆଠଗଡ଼ ପ୍ରଶାସନ । ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ ସହ ବୈଠକ ପରେ ଟୋଲ୍ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.